ଭବାନୀପାଟଣା: ମାଆର ଦାନ ଆଗରେ ଏ ସୃଷ୍ଟି ନତମସ୍ତକ । କେବଳ ସେ ଯେ, ତା'ର ଗର୍ଭଧାରଣ ପାଇଁ ମହାନ ତାହା ନୁହେଁ ଛୁଆ ପାଇଁ ତା ମନରେ ଥିବା ପ୍ରତିଟି ଭାବନା ପାଇଁ ସେ ମହାନ । ତା' ନିଃସ୍ବାର୍ଥପର ସ୍ନେହ, ତା' ରାତି ଅନିଦ୍ରା ଆଉ ତା' କ୍ଷମା ଆଗରେ ଏ ସୃଷ୍ଟିର ସ୍ରଷ୍ଟା ବି ସ୍ତବ୍ଦ । ଆଜି ସେ ସ୍ବର୍ଗୀୟ ଦାନର ଦିନ ଅର୍ଥାତ୍ ବିଶ୍ବ ମାତୃ ଦିବସ । ତାକୁ ମନେ ପକାଇବା ପାଇଁ ଦିନଟିଏ ନୁହେଁ, ତା ଦାନ ତା ତ୍ୟାଗୀକୁ ପୂଜା କରିବାର ଆଉ ତାକୁ ତା' ପରିଚୟରେ ଆମେ ପରିଚିତ ବୋଲି ଜଣାଇ ଦେବାର ଦିନଟିଏ । ଏଥିପାଇଁ ପ୍ରତିବର୍ଷ ମେ' ଦ୍ବିତୀୟ ରବିବାର ମା'ର ଦାନକୁ ମନେପକାଇ ସାରା ବିଶ୍ବ ପାଳନ କରୁଛି ମାତୃ ଦିବସ । ତେବେ ଏହି ପବିତ୍ର ଦିବସରେ ଆସନ୍ତୁ ଦେଖିବା ଏମିତି ଜଣେ ମାଆ ଯିଏ ଅସହାୟ ପିଲାଙ୍କ ପାଇଁ ପାଲଟିଛନ୍ତି ଯଶୋଦା ।
Mothers Day: ଏମିତି ଏକ ମାଆ, 63 ପିଲାଙ୍କ ପାଲଟିଛନ୍ତି ସାହା
ଏପରି ଏକ ମାଆ ହୋଇଛନ୍ତି କସ୍ତୁରୀ, ଅନେକ ଶିଶୁଙ୍କୁ ଯଶୋଦା ମାଆ ପରି ଲାଳନ ପାଳନ କରି ମାତୃତ୍ୱର ପରିଚୟ ଦେଇ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ଓ ଉଦାହରଣ ସୃଷ୍ଟି କରିଛନ୍ତି । ୨୬ ଜଣ ଶିଶୁଙ୍କ ଜନନୀ ପାଲଟିଛନ୍ତି । ନିଜେ ଜନ୍ମ କରିନାହାନ୍ତି ତଥାପି ସେ ଏତେଗୁଡିଏ ସନ୍ତାନର ମାଆ ଏହା ଅବାସ୍ତବ ହେଲେ ମଧ୍ୟ ସତ । ଏଣେ ତେଣେ ଫିଙ୍ଗି ଦେଉଥିବା କଅଁଳ ଅବାଞ୍ଛିତ ଶିଶୁମାନଙ୍କୁ ଗୋଟାଇ ଆଣି ଯଶୋଦା ଅନାଥ ଆଶ୍ରମ ଗଢିଛନ୍ତି ସ୍ୱାମୀ ଶ୍ୟାମ ସୁନ୍ଦର ଜାଲ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳର ଗମ୍ବାରିଗୁଡାରେ ଯଶୋଦା ଅନାଥ ଆଶ୍ରମ କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛି ।
ଅଶୀ ଦଶକରେ ଆଶ୍ରମ ଗଢ଼ିଥିଲେ ଶ୍ୟାମ ସୁନ୍ଦର ଜାଲ ଓ କସ୍ତୁରି ଜାଲ କିଛି ପରିତ୍ୟକ୍ତ ଶିଶୁକୁ ନେଇ । ଆଜି ଏହି ଆଶ୍ରମ ଶହ ଶହ ଶିଶୁଙ୍କ ପରିଚୟର ଠିକଣା ପାଲଟି ଯାଇଛି । କେଉଁଠି ଶିଶୁଟିଏ କେହି ଫିଙ୍ଗି ଦେଇଥିବାର ଖବର ପାଇଲେ ଶ୍ୟାମ ତାକୁ ଆଶ୍ରମକୁ ନେଇ ଆସନ୍ତି । ଶିଶୁଙ୍କୁ ନିଜ ଜନ୍ମିତ ସନ୍ତାନ ଭଳି ଲାଳନ ପାଳନ କରନ୍ତି ମାଆ କସ୍ତୁରୀ । ଶିଶୁମାନଙ୍କ ଗାଧୁଆ, ଖାଇବା ପିଇବା ଓ ଶୁଆଇବା ଇତ୍ୟାଦି ସବୁ କାମ ନିଜେ କରିଥାନ୍ତି । କେବଳ ଯେ, ଜନ୍ମ ଦେଇଥିବା ମାଆ ହିଁ ଶିଶୁର ଲାଳନ ପାଳନ କରିଥାଏ ତାହା ନୁହେଁ କସ୍ତୁରୀ ଭଳି ମାଆ କୁନି କୁନି ଶିଶୁ ପ୍ରତି ନିଜର ମାତୃତ୍ୱ ଓ ପ୍ରେମକୁ ଅଜାଡି ଦେଇ ଏମାନଙ୍କ ଭବିଷ୍ୟତ ଗଢିବାରେ ଲାଗି ରିହଛନ୍ତି ମାଆ କସ୍ତୁରି ।
ଏବେ ୬୩ ଜଣଙ୍କ ମାଆ କସ୍ତୁରୀ ଅନେକ ଛୁଆ ଭୁବନେଶ୍ୱର, ସମ୍ବଲପୁର, ଭବାନୀପାଟଣାରେ ପାଠ ପଢ଼ୁ ଥିବାବେଳେ ଧର୍ମଗଡ଼ରେ ବାକି ଛୁଆମାନେ ପାଠ ପଢୁଛନ୍ତି । ଏହାରି ମଧ୍ୟରେ ଅନେକ ଝିଅକୁ ବାହା କରିସାରି ଥିବାବେଳେ ପାଳିତ ପୁଅମାନଙ୍କ ପାଇଁ ବୋହୂ ମଧ୍ୟ ଆଣି ସାରିଲେଣି କସ୍ତୁରୀ । ଏବେ ବି ଅନେକ କଅଁଳ ଶିଶୁଙ୍କ ମାଆ ସେ । ଶିଶୁ ମଙ୍ଗଳ ବିଭାଗ ପକ୍ଷରୁ କେବଳ ୪୩ ଶିଶୁ ପାଇଁ ଆର୍ଥିକ ସହାୟତା ମିଳୁଛି ବାକି ଶିଶୁମାନଙ୍କୁ ଯେନତେନ ପ୍ରକାରେ ଭରଣ ପୋଷଣ କରନ୍ତି । ଏହା ବ୍ୟତୀତ ଆଶ୍ରମ ପରିସରରେ ୨୫ ଜଣ ବୃଦ୍ଧା ଓ ମାନସିକ ଅନଗ୍ରସରଙ୍କୁ ସ୍ଥାନ ଦେଇଛନ୍ତି ଏହି ଦମ୍ପତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ