ଭବାନୀପାଟଣା:ଆଦିବାସୀ ଆଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳ ଆଜି ବି ସରକାରୀ ସ୍ବାସ୍ଥ୍ୟସେବାରୁ ବହୁ ଦୂରରେ । କେତେବେଳେ ଆମ୍ବୁଲାନ୍ସ ନ ଆସିବା ଯୋଗୁଁ ଗର୍ଭବତୀଙ୍କୁ ଖଟିଆରେ ବୁହାଯାଏ ତ ଆଉ କେତେବେଳେ ଠିକ୍ ସମୟରେ ଚିକିତ୍ସା ନ ପାଇ ରୋଗୀ ପ୍ରାଣ ହରାଏ । ବିଗତ ଦିନରେ କଳାହାଣ୍ଡି ଜିଲ୍ଲାରୁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଏଭଳି ଅନେକ ଦାରୁଣ ଚିତ୍ର ଲୋକଲୋଚନକୁ ଆସିଛି । ଏବେ ଏହିସବୁ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛି କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।
ଅପହଞ୍ଚ ଇଲାକାରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ TPWODL ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ ଆଜି(ବୁଧବାର) କଳାହାଣ୍ଡିରେ ଭ୍ରାମ୍ୟମାଣ ଚିକିତ୍ସାଳୟ ଉଦଘାଟନ ହୋଇଛି । TPWODL ପଶ୍ଚିମ ଓଡିଶା ପାଣ୍ଠିରୁ ଏହି ଭ୍ରାମ୍ୟମାଣ ଚିକିତ୍ସାଳୟ ଗାଡ଼ିରେ ଜଣେ ଡାକ୍ତରଙ୍କ ସମେତ ଦୁଇଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି ।