ଭବାନୀପାଟଣା:ଦାଦନ ଦୁଃଖରେ ଚାଲିଗଲା ଜୀବନ । ଦାଦନ ଶ୍ରମିକଙ୍କ ମୃତ୍ୟୁ । ଶବ ଫେରାଇ ଆଣିବାକୁ ପରିବାରର ଗୁହାରୀ । ପେଟପାଟଣା ଚିନ୍ତାରେ ଅନ୍ୟ ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ । ଚାଲିଗଲା ଜୀବନ । ଏବେ ପୁଅର ମୃତଦେହକୁ ଗାଁକୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ।
ପୁଣି ସେହି ଦାଦନ ଦୁଃଖ ଦେଖିବାକି ମିଳିଛି ଜିଲ୍ଲାରେ । ଗତକାଲି କାଲି ଜିଲ୍ଲାକୁ ଦୁଇଜଣ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟର ଖବର ଆସିଛି । ଆଉ ମୃତଦେହ ଫେରାଇ ଆଣିବାକୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ପରିବାର ଲୋକେ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମାଝୀଗୁଡା ଗାଁର ଭିକାରୀ ବାଗ ପରିବାର ପ୍ରତିପୋଷଣ ଆଶାରେ ନିଜ ସମ୍ପର୍କୀୟ ଶଳାଙ୍କ ସହ ଗତ ୧୫ ଦିନ ତଳେ ହାଇଦ୍ରାବାଦକୁ ଯାଇଥିଲେ । ସେଠାରେ ସେ ଏକ ଠିକା ସଂସ୍ଥାର ଦିନ ମଜୁରିଆ ଭାବରେ କାମ କରୁଥିବା ବେଳେ ୨ ମହଲ ଉପରୁ ପଡିଯାଇ ଗୁରୁତର ହୋଇଥିଲେ। ତୁରନ୍ତ ସାଥି ଶ୍ରମିକ ଭିକାରୀଙ୍କୁ ନିକଟରେ ଥିବା ମେଡ଼ିକାଲକୁ ନେଇ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଭିକାରୀଙ୍କ ସାଙ୍ଗରେ ଯାଇଥିବା ତାଙ୍କ ଶଳା ଭିକାରୀଙ୍କ ପରିବାରକୁ ଖବର ଦେଇଥିଲେ । ଏହା ଶୁଣି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ଯାଇଛି ।
ସମ୍ପୃକ୍ତ କମ୍ପାନୀକୁ ପରିବାର ଲୋକେ ମୃତଦେହ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ ମଧ୍ୟ ସମ୍ପୃକ୍ତ ମାଲିକ କର୍ଣପାତ ନ କରିବାରୁ ଭିକାରୀଙ୍କ ମୃତଦେହ ଗାଁକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ନେହୁରା ହୋଇଛନ୍ତି ପରିବାର । ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଭିକାରୀଙ୍କ ପରିବାର କହିଲେ ମା ବାପା ସ୍ତ୍ରୀ ଓ ଦୁଇ ଝିଅ। ଆଉ ପରିବାରର ରୋଜଗାରିଆ ଲୋକକୁ ହରାଇ ଏବେ ଅସହ୍ୟ ପରିବାର ।