ଓଡିଶା

odisha

ଦାଦନ ଖଟିବାକୁ ଯାଇଥିଲେ ତାମିଲନାଡୁ, ମିଳିଲା ଝୁଲନ୍ତା ମୃତଦେହ

By

Published : Mar 27, 2023, 11:53 AM IST

କାଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ମହାଜନଗୁଡା ଗାଁରେ ପୁଣି ଜଣେ ଦାଦନ ଶ୍ରମିକ ମୃତ । ଅଧିକ ପଢନ୍ତୁ

migrant labour died
migrant labour died

migrant labour died

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଃଖ ଲାଗି ରହିଛି । ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଯାଇଥିଲେ । ହେଲେ ମୃତଦେହ ହୋଇ ଫେରିଲେ ଯୁବକ । ଯୁବାବସ୍ଥାରେ ଚାଲିଗଲା ପରିବାରର ରୋଜଗାରକ୍ଷମ ପୁଅ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହାଜନଗୁଡା ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତକ ଜଣକ ହେଉଛନ୍ତି ମହାଜନଗୁଡା ଗ୍ରାମର ରୁଦ୍ର ପ୍ରସାଦ ବେଶ୍ରାଙ୍କ ୨୦ ବର୍ଷର ପୁଅ ମହେନ୍ଦ୍ର ବେଶ୍ରା ।

ଗତ ୩ ମାସ ତଳେ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର କାଦୁବାଟି ପାଦିୟମ ଅଞ୍ଚଳକୁ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିଲେ ମହେନ୍ଦ୍ର । ସେଠାରେ ସେ ଜଗନ୍ନାଥ ଟେକ୍ସ ଟାଇଲ ନାମକ ଏକ କମ୍ପାନୀରେ ଶ୍ରମିକ ଭାବରେ କାମ ମଧ୍ୟ କରୁଥିଲେ । ପ୍ରତ୍ୟେକ ମାସରେ ଘରକୁ ଟଙ୍କା ପଠାଇବା ସହ ଫୋନ କରି ସମସ୍ତଙ୍କ ସହ କଥା ମଧ୍ୟ ହେଉଥିଲେ । ହେଲେ ଗତ ଦୁଇଦିନ ହେଲା ସେ ଘରକୁ ଫୋନ ନ କରିବାରୁ ପରିବାର ଲୋକେ ନିଜ ଗାଁରୁ ସେହି ସ୍ଥାନକୁ ଯାଇଥିବା ଅନ୍ୟ ଶ୍ରମିକ ମାନଙ୍କ ଫୋନ କରିଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ ।

ହେଲେ ଆଜି ହଠାତ ଖବର ପାଇଥିଲେ କି ସେହି କମ୍ପାନୀ ନିକଟରେ ଥିବା ଏକ ଗଛରେ ତାଙ୍କ ଭେଣ୍ଡିଆ ପୁଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଏହି ଖବର ପାଇବା ପରେ ସତେ ଯେମିତି ପରିବାର ଲୋକଙ୍କ ପାଦତଳୁ ମାଟି ଖସିଗଲା । ସାଥି ଶ୍ରମିକ ମାନେ ସ୍ଥାନୀୟ ପୋଲିସର ସହାୟତାରେ ମୃତଦେହ ଉଦ୍ଧାର କରିଥିବା ବେଳେ ବ୍ୟବଚ୍ଛେଦ କରିବା ପରେ ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ନେହୁରା ହୋଇଛନ୍ତି । ସେପଟେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ମାଲିକ ମୃତଦେହ ଗାଁକୁ ପଠାଇବା ପାଇଁ କୌଣସି ବ୍ୟବସ୍ଥା କରି ନଥିବା ବେଳେ ପରିବାର ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।

ତେବେ ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନ ହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏସବୁ ଭିତରେ ସେମାନେ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇ ଅଚଳ ହୋଇଛନ୍ତି ତ ଆଉ କେତେବେଳେ ମୃତ୍ୟୁ ମୁଖରେ ପଡୁଛନ୍ତି । ସରକାର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁ ଥିବା ବେଳେ ଏପଟେ ତାହାର ଓଲଟା ଦେଖିବାକୁ ମିଳୁଛି । ଚଳିତ ଗୋଟିଏ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳକୁ ୧୦ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଥିବା ବେଳେ ଅନେକ ବନ୍ଧକରୁ ମୁକୁଳି ଘରକୁ ଫେରିଛନ୍ତି । ହେଲେ ଏଥିପ୍ରତି ନାଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ନାଁ ସରକାର । ଫଳରେ ପେଟପାଟଣା ଆଶାରେ ହଜାର ହଜାର ଶ୍ରମିକ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଖଟି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details