ଓଡିଶା

odisha

ETV Bharat / state

କେସିଗାଁରେ ମିଳୁନି ମଧ୍ୟାହ୍ନ ଭୋଜନ: ଭୋକରେ ରହୁଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଅସନ୍ତୋଷ - ସଭିଏଁ ପଢିବେ ସଭିଏଁ ବଢିବେ

କଳାହଣ୍ଡି ଜିଲ୍ଲା କେସିଗାଁ ବ୍ଲକର କେତେକ ସ୍କୁଲରେ ସଠିକ ସମୟରେ ଚାଉଳ ଆସୁନଥିବାରୁ ମଧ୍ୟାହ୍ନ ଭୋଜନ ପାଇବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ମଧ୍ୟାହ୍ନ ଭୋଜନରେ ବ୍ୟତିକ୍ରମ
mid day meal issues

By

Published : Mar 29, 2023, 4:25 PM IST

Updated : Mar 29, 2023, 5:55 PM IST

କେସିଗାଁ ମିଳୁନି ମଧ୍ୟାହ୍ନ ଭୋଜନ

ଭବାନୀପାଟଣା:ବିଭିନ୍ନ ସମୟରେ ମଧ୍ୟାହ୍ନ ଭୋଜନକୁ ନେଇ ସମସ୍ୟା ଦେଖାଦେଉଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ବାବଦକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କଳାହଣ୍ଡି ଜିଲ୍ଲା କେସିଗାଁ ବ୍ଲକର କେତେକ ସ୍କୁଲରେ ଦେଖାଦେଇଛି ଏହାର ବ୍ୟତିକ୍ରମ । ସଠିକ ସମୟରେ ଚାଉଳ ଆସୁନଥିବାରୁ ମଧ୍ୟାହ୍ନ ଭୋଜନ ପାଇବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।

ସଭିଏଁ ପଢିବେ ସଭିଏଁ ବଢିବେ ନାରା ଦେଇ ସରକାର ଆଗେଇ ନେଇଛନ୍ତି ସର୍ବଶିକ୍ଷା ଅଭିଯାନ । ସେମାନଙ୍କୁ ସର୍ବନିମ୍ନ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଦିଗରେ ସହଯୋଗ କରିବା ନେଇ ସରକାରଙ୍କ ଦ୍ୱାରା ପ୍ରତିଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ତଥା ଉପସ୍ଥାନ ବୃଦ୍ଧି ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆରମ୍ଭ କରିିଥିବା ବେଳେ ଏହା କିଛି ଅଞ୍ଚଳରେ ବାଟବଣା ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ଏବେ ସାମ୍ନାକୁ ଆସିଛି ।

କାରଣ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣେ ଛାତ୍ର ବା ଛାତ୍ରୀଙ୍କ ପିଛା ରାସନ୍, ଅଣ୍ଡା ଓ ଗ୍ୟାସ ବାବଦରେ ୫ ଟଙ୍କା ୯୦ ପଇସା ଓ ୧୦୦ଗ୍ରାମ ଚାଉଳ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣେ ଛାତ୍ର ବା ଛାତ୍ରୀଙ୍କ ପିଛା ୮ଟଙ୍କା ୪୨ ପଇସା ସହିତ ୧୫୦ ଗ୍ରାମ ଚାଉଳ ଦିଆଯାଉଛି । କେତେକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ମହିଳା ଏସ୍ଏଚଜି ଓ କିଛି ସ୍କୁଲରେ ପରିଚାଳନା କରିବା ପାଇଁ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ଦାୟିତ୍ୱ ନେଇଛନ୍ତି । ହେଲେ ପରିଚାଳନା ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ବିଦ୍ୟାଳୟମାନଙ୍କରେ ଅବ୍ୟବସ୍ଥା ମଧ୍ୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁଥିବା ନେଇ ଅଭିଯୋଗ ହେଉଛି । ଅଭିଯୋଗ ସତ୍ତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଚାଉଳ ଅଭାବ ଯୋଗୁଁ କେତେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦ ହେବା ଫଳରେ ମଧ୍ୟାହ୍ନ ଭୋଜନ ପାଇବାରୁ ଛାତ୍ରଛାତ୍ରୀ ମାନେ ବଞ୍ଚିତ ହୋଇଥିବା ଜଣାପଡିଛି । ଚାଉଳ ଅଭାବ ଯୋଗୁଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିବା ନେଇ କେସିଗାଁ ବ୍ଲକ ଅନ୍ତର୍ଗତ ଜୁର୍କାଭାଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ହୃଷିକେଶ ପାତ୍ର ଓ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ସ୍ଥାନୀୟ ବିଇଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ବିଦ୍ୟାଳୟକୁ ଚାଉଳ ପହଞ୍ଚିନଥିବା ବେଳେ ଚାଉଳ ଅଭାବ ଯୋଗୁଁ ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦୀର୍ଘ ଗୋଟିଏ ମାସ ହେଲା ବନ୍ଦ ରହିଥିବା ଜଣା ପଡିଛି ।

ସେହିପରି ସମାନ ଅବସ୍ଥା ପରଲସିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଚାଉଳ ନଥିବା ଯୋଗୁଁ ୧୫ ଦିନ ହେଲା ସ୍କୁଲରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିବା ବେଳେ ଏନେଇ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଦାମୋଦର ମାଝୀ ଓ ପ୍ରଧାନ ଶିକ୍ଷକ ସ୍ଥାନୀୟ ବିଇଓ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । କେସିଗାଁ ବ୍ଲକର ଅଧିକାଂଶ ବିଦ୍ୟାଳୟରେ ସମାନ ପରିସ୍ଥିତି ଦେଖା ଦେଇଛି । କେସିଙ୍ଗା ବ୍ଲକ ସମେତ କର୍ଲାମୁଣ୍ଡା, ମ.ରାମପୁର ଏବଂ ଥୁ.ରାମପୁର ବ୍ଲକପାଇଁ ମଧ୍ୟାହ୍ନ ଭୋଜନ ଟ୍ରାନ୍ସପୋର୍ଟିଂ ଏଜେଣ୍ଟ ଭାବେ ଜଳନ୍ଧର ନାଏକଙ୍କୁ ସ୍କୁଲମାନଙ୍କରେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇବା ପାଇଁ ଏଲଟମଏଣ୍ଡ କରାଯାଇଛି । ହେଲେ ସମ୍ପୃକ୍ତ ଟ୍ରାନ୍ସପୋର୍ଟ ଏଜେଣ୍ଟ ସ୍କୁଲମାନଙ୍କୁ ଚାଉଳ ଯୋଗାଇବାରେ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ୪ ଗୋଟି ବ୍ଲକର ସ୍କୁଲମାନଙ୍କରେ ଚାଉଳ ଦେବା ପାଇଁ ୩୫୩୦ କୁଇଣ୍ଟାଲ ଚାଉଳ ଗତ ୩ ତାରିଖରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆଲଟମେଣ୍ଟ ହୋଇଥିଲା । ଏଥିରେ କେସିଗାଁ ବ୍ଲକର ୧୪୨୦୦ ଜଣ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୧୨୦୧କୁଇଣ୍ଟାଲ ଚାଉଳ ରହିଥିଲା । ହେଲେ ଆଜି ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଚାଉଳ ପହଞ୍ଚିପାରି ନାହିଁ । ଫଳରେ ଚାଉଳ ଅଭାବ ଯୋଗୁଁ ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏଥିପ୍ରତି ଜିଲ୍ଲାପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଥିବା ବେଳେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଗୋଟିଏ ଟ୍ରାନ୍ସପୋର୍ଟ ଥିବା କାରଣରୁ ଏହି ସମସ୍ୟା ଉପୁଜିଥିବା କହିଛନ୍ତି । ତେବେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ରହୁଥିବା ବେଳେ ଏନେଇ କେବେ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 29, 2023, 5:55 PM IST

ABOUT THE AUTHOR

...view details