ଭବାନୀପାଟଣା: ଦିନସାରା କଠିନ ଝାଳ ବୁହା ପରିଶ୍ରମ କଲେ ଯାଇ ପୁରେ ଗରିବ ଖଟିଖିଆ ମଣିଷର ପେଟ । ଆଉ ସେହି ଗରିବ ଖଟିଖିଆକୁ ଆର୍ଥିକ ତଥା ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ରୁ କାର୍ଯକାରୀ ହୋଇଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ସହ କାମ ବି ଯୋଗାଇ ଦିଆଯାଉଛି ହେଲେ ମଜୁରୀ ଦେବାରେ ଦେଖାଦେଉଛି ବ୍ୟତିକ୍ରମ । ଏପରି ଦୁର୍ନୀତିର ଅଭିଯୋଗ ଆସିଛି ଥୂଆମୁଳ ରାମପୁର ବ୍ଲକ ସିଲେଟ ଗାଁରୁ । ସେମାନଙ୍କ ହାତରେ ଜବକାର୍ଡ ଅଛି ସତ କିନ୍ତୁ ମନରେ ଭରି ରହିଛି କ୍ଷୋଭ । କାରଣ ସେମାନଙ୍କୁ ମିଳୁନି ମଜୁରୀ ।
ମନରେଗା ଯୋଜନା ମାଧ୍ୟମରେ ଜବକାର୍ଡଧାରୀଙ୍କୁ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶୃତି ବଦ୍ଧ। ସେଥିଲାଗି ଏହି ଯୋଜନା ଜରିଆରେ ପଞ୍ଚାୟତର ପ୍ରାୟ ୬୦ ଜଣ ହିତାଧିକାରୀଙ୍କୁ ମନରେଗା ଯୋଜନାରେ ପଞ୍ଚାୟତ ତରଫରୁ ଗାଁକୁ ରାସ୍ତା ସକାଶେ ପ୍ରାୟ ୫ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ୩ କିମି ପର୍ଯ୍ୟନ୍ତ ଘାଟି କଟା ସହ ମାଟି କାମ ପାଇଁ କାର୍ଯାଦେଶ ଦିଆଯାଇଥିଲା । ହେଲେ କାମ କରିବାର ଆଜକୁ ପ୍ରାୟ ୨ ବର୍ଷ ପରେ ବି ସେମାନଙ୍କୁ ମିଳିନି ମଜୁରୀ ।