ଭବାନୀପାଟଣା: ନିଯୁକ୍ତି ଯୋଜନାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୂଳିଆମାଲ ପଞ୍ଚାୟତରୁ ଏପରି ଘଟଣା ସାମନାକୁ ଆସିଛି । ଗ୍ରାମାଞ୍ଚଳର ବିକାଶ ସହ ଚାଷୀଙ୍କ ଜମି ଓ ପୋଖରୀ ମରାମତି କରିବା ପାଇଁ ମନରେଗା ଯୋଜନା ଭଳି ଏକ ମହତ୍ତ୍ବାକାଂକ୍ଷୀ ଯୋଜନା କରିଛନ୍ତି ସରକାର । ହେଲେ କେତେକ ସରକାରୀ ବାବୁ ଓ ଜନପ୍ରତିନିଧିଙ୍କ ପାଇଁ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ ।
ତେବେ ସ୍ଥାନୀୟ ସରପଞ୍ଚ ଓ ସରକାରୀ ଅଧିକାରୀମାନେ ମିଶି 'ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା'ରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି । ତଥ୍ୟ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଆଦିବାସୀ ବହୁଳ ଏହି ପଞ୍ଚାୟତରେ ଲୋକେ ଦିନ ମଜୁରିଆ ଭାବରେ କାମ କରିବା ସହ ଚାଷ ଉପରେ ନିର୍ଭର କରନ୍ତି । ନିଜ ଜମି ମରାମତି କରିବା ପାଇଁ ଲୋକେ ପଞ୍ଚାୟତରେ ଜଣାଇବା ପରେ MGNREGA ଯୋଜନା ମାଧ୍ୟମରେ ଜମି ମରାମତି ହେଉଛି । ଏହାସହ ପୋଖରୀ ଖନନ ଏବଂ ରାସ୍ତା ନିର୍ମାଣ ଭଳି ଅନେକ କାର୍ଯ୍ୟ ମନରେଗା ଯୋଜନାରେ ହେଉଥିବାବେଳେ ଜବ କାର୍ଡରେ ଜାଲିଆତି କରାଯାଇଥିବା ଘଟଣା ଏବେ ଲୋକଲୋଚନକୁ ଆସିବାରେ ଲାଗିଛି ।
"ହିତାଧିକାରୀଙ୍କ ପାଇଁ ସରକାର ଯୋଜନା ପ୍ରଣୟନ କରିଥିବାବେଳେ ଜନପ୍ରତିନିଧି ଓ ସରକାରୀ ବାବୁ ମିଶି ସମସ୍ତ ଅର୍ଥ ହେରଫେର କରିଛନ୍ତି । ଏହାସହ ସ୍ଥାନୀୟ ସରପଞ୍ଚ ନିଜ ପରିବାର ସମ୍ପର୍କୀୟଙ୍କ ନାଁରେ ଜବ କାର୍ଡ ତିଆରି କରି ସେଥିରେ ଚଞ୍ଚକତା କରିଛନ୍ତି" ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହିଭଳି ଭାବେ ମନରେଗା ଯୋଜନାରେ ସରକାରୀ ଅର୍ଥ ବାଟମାରଣା କରାଯାଉଥିବା ଅଭିଯୋଗ କରିଛନ୍ତି ଲୋକେ । ଏନେଇ ଗ୍ରାମବାସୀ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ଗ୍ରାମବାସୀ ।