ଭବାନୀପାଟଣା:ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଯାହାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଗତ ଡିସେମ୍ବର 20 ତାରିଖ ଦିନ ଜେଲ ଭିତରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ତେବେ ତାହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତ ଗୋବିନ୍ଦ ସାହୁଙ୍କର ପକେଟରୁ ମିଳିଥିବା ବନ୍ଦ ଲଫାପା ତାଙ୍କ ବଡଝିଅ ଲିପିକା ସାହୁଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ଚର୍ଚ୍ଚା ପରିସରକୁ ଆସିଥିଲା । ହେଲେ ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ସେହି ଲଫାପା ବିଷୟ ସ୍ପଷ୍ଟ କରି ନଥିବା ବେଳେ କ୍ରାଇମବ୍ରାଞ୍ଚର ଏକ ଟିମ୍ ମହାଲିଙ୍ଗ କଲେଜକୁ ଯାଇ କାଗଜପତ୍ର ଯାଞ୍ଚ କରିବା ସହ ମମତା ମେହେରଙ୍କ ପରିବାର ସହ ଆଲୋଚନା କରିଥିଲା ।
ଅନ୍ୟପଟେ ଗୋବିନ୍ଦଙ୍କ ମୃତ୍ୟ ଦିନ ଗୋବିନ୍ଦ ଙ୍କ ସ୍ତ୍ରୀ ସୁଷମା ସାହୁ ତାଙ୍କ ସ୍ବାମୀଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ହେଲେ ଗୋବିନ୍ଦ ସାହୁଙ୍କର ମୃତ୍ୟୁକୁ ୨୦ ଦିନ ବିତି ଯାଇଥିଲେ ସୁଦ୍ଧା ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ହାତରେ କିଛି ଠୋସ୍ ପ୍ରମାଣ ଲାଗି ନାହିଁ । ଯେଉଁ କାରଣରୁ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ସନ୍ଦେହ କରି ଆଜି କଳାହାଣ୍ଡି ଦକ୍ଷିଣ ଶୌଣ୍ଢିକ ସମାଜ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ଦକ୍ଷିଣ ଶୌଣ୍ଢିକ ସମାଜ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।