ଭବାନୀପାଟଣା:ଯୁଗ ବଦଳିଲାଣି । ହେଲେ ମଣିଷର ଚିନ୍ତାଧାରାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯେଉଁଥିପାଇଁ ୩୦ ବର୍ଷ ହେବ ପଥର କୁଡିଆରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠ ରୋଗୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗାଁରେ ରୁହନ୍ତି କୁଷ୍ଠ ରୋଗୀ କଦମା ମାଝୀ । କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ଯୋଗୁଁ ଗ୍ରାମବାସୀ ତାଙ୍କୁ ଗାଁରୁ ବାସନ୍ଦ କରିଦେଇଛନ୍ତି । ତେଣୁ ଘରଦ୍ବାର ଛାଡି ଗାଁଠାରୁ ପ୍ରାୟ ୧ କିଲୋମିଟର ଦୂର ଏକ ପାହାଡରେ ଏକାକୀ ପଥର କୁଡ଼ିଆରେ ଭାଗ୍ୟ ଆଦରି ପଡ଼ି ରହିଛନ୍ତି ।
ଖରା, ବର୍ଷା, ଶୀତ ଖାଇ ବର୍ଷ ତମାମ ଆଦିମ ମଣିଷ ଭଳି ଏଇ ପଥର କୁଡିଆରେ ସେ ପଡି଼ ରହିଛନ୍ତି । ମାଗିଯାଚି ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି । ଏସମ୍ପର୍କରେ ଆମ ଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ହେବାପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।