କଳାହାଣ୍ଡି: ଗତବର୍ଷ 2019ରେ ହୋଇଥିବା ମାଟ୍ରିକ ପରୀକ୍ଷାରେ ଲଗାତାର ଭବେ ପ୍ରଶ୍ନ ପତ୍ର ଭାଇରାଲ ହୋଇଥିଲା । କେଉଁଠି ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଥିଲା ତ କେଉଁଠି ପରୀକ୍ଷା ସମୟରେ । ଯାହାକୁ ନେଇ ଗଣଶିକ୍ଷା ବିଭାଗ, ବୋର୍ଡ ଅନେକ ଅପବାଦ ମୁଣ୍ଡାଇଥିଲେ । ତେବେ ଚଳିତ ବର୍ଷ କେମିତି ପ୍ରଶ୍ନପତ୍ର ଭାଇରାଲ ନହେବ ଏବଂ ପରୀକ୍ଷା ବ୍ୟବସ୍ଥିତ ଭାବେ ସମ୍ପାଦନ ହେବ ସେନେଇ ବିଭାଗ ପରୀକ୍ଷାର ଢେର ଆଗରୁ ପଦକ୍ଷେପ ନେଇଥିଲା । କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ।
ପରୀକ୍ଷାର ପ୍ରଥମ ଦିନରୁ ହିଁ ଭାଇରଲ ହୋଇଛି ପ୍ରଶ୍ନପତ୍ର । ବୁଧବାର ମାତୃଭାଷା ପରୀକ୍ଷା ଥିବାବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି । ପରୀକ୍ଷାର କିଛି ସମୟ ପରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି ପ୍ରଶ୍ନ ପତ୍ର । ଯାହାକୁ ନେଇ ଛାତ୍ରଛାତ୍ରୀ ଅଭିଭାବକ ମହଲରେ ଆଲୋଡନ ସୃଷ୍ଟି ହୋଇଛି ।