ଭବାନୀପାଟଣା:କିଛି ଦିନର ବ୍ୟବଧାନ ପରେ ପୁଣି ନିଜର ଉପସ୍ଥିତି ଜାହିର କଲେ ଲାଲବାହିନୀ । ଖଣି ଖନନକୁ ବିରୋଧ କରି ପୋଷ୍ଟର ଲଗାଇଲା ମାଓ ସଂଗଠନ । ଥୁଆମୂଳ ରାମପୁର ବ୍ଲକର ଚୁଲିବାଡ଼ି, ଆଲିଗନା, ବିରବାଫଲା, ଡୁମେରପଦର, ଗୁଣପୁର ଆଦି ଗାଁର ବିଭିନ୍ନ ଛକରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ଖଣି ଖନନକୁ ବିରୋଧ କରି ସ୍ଥାନୀୟ ଲୋକଙ୍କୁ ଏକାଠି ହେବାକୁ ଆହ୍ୱାନ ଦିଆଯାଇଛି । ଜିଲ୍ଲାର ସିଜିମାଲି ଓ କୁଟୁରୁମାଳି ଖଣି ଖନନକୁ ବିରୋଧ କରିଛନ୍ତି ମାଓବାଦୀ ।
ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ମାଓ-ପୋଲିସ ଗୁଳି ବିନିମୟ ଘଟଣା, ପୋଷ୍ଟର ମାରିଲା ଲାଲବାହିନୀ
ପୋଷ୍ଟରରେ ଖଣି ଖନନକୁ ବିରୋଧ କରିବା ସହ ଜୀବନ ଜୀବିକା, ସଂସ୍କୃତି, ପରିବେଶ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକଜୁଟ ହେବାପାଇଁ ଆହ୍ୱାନ ଦେଇଛି ଲାଲବାହିନୀ । ଖଣି ଖନନ ଓ ବିସ୍ଥାପନ ବିରୋଧରେ ସଶସ୍ତ୍ର ପ୍ରତିରୋଧ ଏବଂ ଆନ୍ଦୋଳନ ଗଢ଼ି ତୋଳନ୍ତୁ, ପୋଲିସ ଦମନ ଓ ଦଲାଲ ନେତାଙ୍କୁ ବିରୋଧ କରନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ପୋଷ୍ଟର ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ୍ କମିଟି ମାଓବାଦୀ ପକ୍ଷରୁ ଜାରି କରାଯାଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।