ଓଡିଶା

odisha

ETV Bharat / state

ଆବାସ ଯୋଜନାରେ ମହାଘୋଟାଲା, କୁଡିଆ ଭିତରେ ବିତୁଛି ଗରିବ ଜୀବନ - କଳାହାଣ୍ଡି ଆବାସ ଗୃହ ଦୁର୍ନୀତି

କଳାହାଣ୍ଡିରେ ଆବାସ ଗୃହ କେଳେଙ୍କାରୀ । ସରକାରୀ ରିପୋର୍ଟରେ ଗରିବ ପକ୍କା ଘର ପାଉଛି, ହେଲେ ବାସ୍ତବରେ ଭଙ୍ଗା ଘରେ ବିତୁଛି ଜୀବନ । ଅଧିକ ପଢନ୍ତୁ

ଆବାସ ଯୋଜନାରେ ମହାଘୋଟାଲା, କୁଡିଆ ଭିତରେ ଗରୀବ ଜୀବନ
ଆବାସ ଯୋଜନାରେ ମହାଘୋଟାଲା, କୁଡିଆ ଭିତରେ ଗରୀବ ଜୀବନ

By

Published : Apr 21, 2022, 5:32 PM IST

Updated : Apr 21, 2022, 6:31 PM IST

ଭବାନୀପାଟଣା: ବାସହୀନଙ୍କୁ ଘର ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏକାଧୀକ ଯୋଜନା ରହିଛି । ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । ମାତ୍ର ସରକାରୀ କଳର ବଡବଡିଆ ବାବୁଙ୍କ ଲାଭଖୋର ମନୋଭାବ ଯୋଗୁଁ ଏଠି ବାଟବଣା ହେଉଛି ଆବାସ ଯୋଜନା । ଫଳରେ ଭଙ୍ଗା କୁଡିଆରେ ମୁଣ୍ଡ ଗୁଞ୍ଜିଛି ଅଭାବୀ ମଣିଷ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ଆବାସ ଯୋଜନାରେ ମହାଘୋଟାଲାର ଅଭିଯୋଗ ଆସିଛି । ପଞ୍ଚାୟତ ଠାରୁ ବ୍ଲକ କର୍ମଚାରୀ ଯାଏଁ ଚଞ୍ଚକତା କରି ୬ ଜଣ ହିତାଧିକାରୀଙ୍କ ଆବାସ ଟଙ୍କାକୁ ହଡପ କରିନେଇଥିବା ଥାନା ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏପରିକି ମାମଲା ଏବେ ଲୋକାୟୁକ୍ତଙ୍କ ନିକଟରେ ବି ପହଞ୍ଚିଛି ।

ଆବାସ ଯୋଜନାରେ ମହାଘୋଟାଲା



ସେହି ୬ ଜଣ ହିତାଧିକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୋକସରା ବ୍ଲକ ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ପଞ୍ଚାୟତ ରଏନଗୁଡା ଗାଁର ଜଗନ୍ନାଥ ଦାସ । ସରକାରୀ ଦସ୍ତାବିଜ କହୁଛି, ୨୦୨୧ ମସିହା ଜୁଲାଇ ମାସରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି । ପର୍ଯ୍ୟାୟକ୍ରମେ ତାଙ୍କୁ ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ସହ ପ୍ରୋତ୍ସାହନ ରାଶି ମଧ୍ୟ ପୈଠ କରାଯାଇଛି । ହେଲେ ବାସ୍ତବ ଚିତ୍ର କିନ୍ତୁ ପୁରା ଓଲଟା । ଏବେ ବି ୩ କୋଠରୀ ବିଶିଷ୍ଟ ମାଟି ଖପର ଘରେ ରହୁଛନ୍ତି ଜଗନ୍ନାଥ ଦାସଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବ । ତାଙ୍କ ନିକଟରେ ସରକାରୀ ଯୋଜନାର ଛାପଟିଏ ବି ନାହିଁ ।

ସେହିପରି ଆଉ ଜଣେ ହିତାଧିକାରୀ ହେଲେ ବାବେକୋହରା ଗାଁର ଧନୁର୍ଯ ନାଏକ । ସରକାରୀ ଘର ପାଇବା ଆଶାରେ ସେ ତାଙ୍କ ପୁରୁଣା ଝାଟିମାଟିର ଘରକୁ ଭାଙ୍ଗି ନିଅଁ ଖୋଳିବା ଆରମ୍ଭ କରିଥିଲେ । ହେଲେ ଆଜିକାଲି କହି ଠକି ଦେଲେ ସରକାରୀ ବାବୁ । ଫଳରେ ସେ ଏବେ ନିଜ ସ୍ତ୍ରୀଙ୍କ ସହ ଭାଇ ପାଇଥିବା ଇନ୍ଦିରା ଆବାସ ଗୃହରେ ଆଶ୍ରୟ ନେଇଛନ୍ତି । ଧନୁର୍ଯ ବି ସରକାରୀ ରିପୋର୍ଟରେ ଛାତ ଘରର ମାଲିକ ହେଲେ ବାସ୍ତବତା 'ଯଥା ପୂର୍ବଂ ତଥା ପରଂ' । ଏହି ଦୁଇ ହିତାଧିକାରୀଙ୍କ ସମେତ ୬ ଜଣ ହିତାଧିକାରୀଙ୍କ ନାଁରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ଚଞ୍ଚକତା କରି ସରକାରୀ ବାବୁମାନେ ନିଜ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିବା ଅଭିଯୋଗ ଆସିଛି । ସେମାନେ ପ୍ରାୟ ୭ ଲକ୍ଷ ୮୦ ହଜାର ଆବାସ ଗୃହ ଟଙ୍କାକୁ ଆତ୍ମସାତ କରିଥିବାର ଅଭିଯୋଗ ହୋଇଛି ।


ଏନେଇ ଅଭିଯୋଗ ପରେ ସରକାରୀ ବାବୁଙ୍କ ନିରପେକ୍ଷ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତରେ ତଳିଆ କର୍ମଚାରୀ ଭାବେ ଜିଓଟ୍ୟାଗ କର୍ମଚାରୀ, ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ବଳି ପଡି ଜେଲ ଗଲେ । ହେଲେ ଯୋଜନାର ସମ୍ପୂର୍ଣ୍ଣ କାର୍ଯ୍ୟ ଶୈଳୀକୁ ତଦାରଖ କରି ଟଙ୍କା ପୈଠ କରିଥିବା ବଡବଡିଆ ବାବୁ ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟାରେ ରହି ନିଜକୁ ସୁରକ୍ଷିତ ମନେ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଏନେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଘଟଣାର ନିରପେକ୍ଷ ତଦନ୍ତ ସହ ଘଟଣାରେ ସମ୍ପୃକ୍ତ ଦୋଷୀ ଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେ ବର୍ତ୍ତମାନ ଲୋକାୟୁକ୍ତଙ୍କ ଅଦାଲତରେ ଆବେଦନ କରିଛନ୍ତି । ଲୋକାୟୁକ୍ତ ଆବେଦନକୁ ଗ୍ରହଣ କରି କଳାହାଣ୍ଡି ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସ୍ଥାନୀୟ ଲୋକେ ଏହି ଗରୀବ ପରିବାରଗୁଡିକ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Apr 21, 2022, 6:31 PM IST

ABOUT THE AUTHOR

...view details