ଭବାନୀପାଟଣା:ଆସିଛି ଫଗୁଣ, ସାଥିରେ ଆଣିଛି ମହୁଲ ଫୁଲର ବାସ୍ନା । ଫଗୁଣ ଆସିଲେ ଗଛରେ ଭାରି ଯାଏ ପେନ୍ଥାପେନ୍ଥା ମହୁଲ । ଏହାକୁ ଦେଖି ଆଦିବାସୀ ମନ ହସି ଉଠେ । କାହିଁକିନା ମହୁଲ ଫୁଲ ବିକ୍ରି କରି ଦୁଇ ପଇସା ରୋଜଗାର କରିବେ ଆଉ ନିଜ ତେଳ ଲୁଣ ପରିବାର ଚଳାଇବେ । ମହୁଲ ଫୁଲ ପଶ୍ଚିମ ଓଡିଶାର ଗ୍ରାମ୍ୟ ଜନ ଜୀବନରେ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୁଏ । ଦୁର୍ବଳ ଥିବା ବ୍ୟକ୍ତି ବିଶେଷଙ୍କର ଆଶାର ସଞ୍ଚାର କରି ପରିବାର ପାଇଁ ଆନନ୍ଦ ଉଲ୍ଳାସର ଦ୍ରବ୍ୟ ହେଉଛି ମହୁଲ । ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ବେଶ୍ ଭଲ ରାଜସ୍ୱ ଯୋଗାଇ ଥିବାର ଏକ ମାପ କାଠି ହେଉଛି ମହୁଲ ଫୁଲ ।
କଳାହାଣ୍ଡି ଜିଲ୍ଲାରେ ଉଚିତ ବଜାର ସୁବିଧା ନଥିବାରୁ ସଂଗ୍ରହକାରୀ ଦଲାଲ ହାବୁଡରେ ପଡି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । କଳାହାଣ୍ଡି ଜିଲ୍ଲାର ଗରିବ ଆଦିବିସୀ ଭୋରରୁ ଜଙ୍ଗଲକୁ ଯାଇ ମହୁଲ ଗଛ ତଳୁ ମହୁଲ ଫୁଲ ସଂଗ୍ରହ କରି ଦୁଇ ପଇସା ରୋଜଗାର କରିବା ତାଙ୍କର ଆଶା ଥାଏ । ହେଲେ ପଞ୍ଚାୟତରେ ଧାର୍ଯ୍ୟ ହୋଇଥିବା ମୂଲ୍ୟ ସେମାନେ ଜାଣିପାରନ୍ତି ନାହିଁ । ଅଞ୍ଚଳର ବ୍ୟବସାୟୀମାନେ ଦଲାଲମାନଙ୍କ ହାତ ବାରିସି କରି ଗରିବ ନୀରିହ ମହୁଲ ଗୋଟାଳିଙ୍କଠାରୁ କମ ଦରରେ କ୍ରୟ କରି ମୋଟା ଅଙ୍କରେ ଟଙ୍କା କମାଇବାର ମାଧ୍ୟମ ହୋଇପଡିଛି ।