ଓଡିଶା

odisha

ଆରମ୍ଭ ହେଲା ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ମନ୍ଦିର ଅଭିମୁଖେ ବାହାରିଛି ମା'ଙ୍କ ବିଜୟ ପ୍ରତିମା

By ETV Bharat Odisha Team

Published : Oct 22, 2023, 9:56 AM IST

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆରମ୍ଭ ହୋଇଛି । ଘୁମୁରା ବାଦ୍ୟରେ କମ୍ପୁଛି କଳାହାଣ୍ଡି । ଅଧିକ ପଢ଼ନ୍ତୁ

chhatar yatra
chhatar yatra

ମନ୍ଦିର ଅଭିମୁଖେ ବାହାରିଛି ମା'ଙ୍କ ବିଜୟ ପ୍ରତିମା

ଭବାନୀପାଟଣା:ଆଜି ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି ଜିଲ୍ଲା । ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ବାହାରିଛି ମାଙ୍କ ବିଜୟ ପ୍ରତିମା ଛତର । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଛନ୍ତି । ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- ରାତି ପାହିଲେ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ପ୍ରସ୍ତୁତି ଜୋରଦାର

ଜେନା ବାଦ୍ୟ ଓ ବୀର ବାଦ୍ୟ ଘୁମୁରା ତାଳେ ତାଳେ ମା'ଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ । ଏହି ପ୍ରସିଦ୍ଧ ଯାତ୍ରାରେ ମାଣିକେଶ୍ବରୀଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଜେନାଖାଲ ଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିବ । ମା' ମାଣିକେଶ୍ବରୀଙ୍କ ପାଖରେ ବଳି ଦିଆଯିବା ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ରୀତିନୀତି ଅନୁଯାୟୀ ହଜାର ହଜାର ବର୍ଷ ଧରି ଏହି ଯାତ୍ରାକୁ ପାଳନ କରିଆସୁଛନ୍ତି କଳାହାଣ୍ଡିବାସୀ । ସେପଟେ ମାଙ୍କ ବିଜୟ ପ୍ରତିମା ଛତର ବାହାରିବା ପରେ ପରେ ମାନସିକ ଧାରି ବୋଦା, କୁକୁଡ଼ା ଆଦି ବଳି ଆରମ୍ଭ ହୋଇ ସାରିଛି। ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ତଥା ମୂଳାଷ୍ଟମୀ ତିଥିରେ ମା' ମାଣିକେଶ୍ବରୀଙ୍କ ପୀଠରେ ମୁଣ୍ଡବସାଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ- ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହର ମଧ୍ୟରେ ଯାନବାହାନ ପ୍ରବେଶ ଉପରେ ମଧ୍ୟ କଟକଣା କରାଯାଇଥିବା ବେଳେ ୬ଟି ପାର୍କିଂ ବ୍ୟବସ୍ତା ମଧ୍ୟ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ସର୍ବମଙ୍ଗଳାଙ୍କ ଛତର ଯାତ୍ରା, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମାଆ

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details