କଳାହାଣ୍ଡି: ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ତିଆରି ହେଲା ରାସ୍ତା। 4 କୋଟି 90 ଲକ୍ଷ 65 ହଜାର ବ୍ୟୟ ଅଟକଳରେ ଦୀର୍ଘ 15 କିଲୋମିଟର 700 ମିଟର ପର୍ଯ୍ୟନ୍ତ ନିର୍ମାଣ ହେଲା ରାସ୍ତା । ମାତ୍ର ବିଡମ୍ବନାର ବିଷୟ ରାସ୍ତା ନିର୍ମାଣର ଦିନକ ପରେ ଉଠିଗଲା ପିଚୁ। ଏ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କେନ୍ଦୁଗୁଡା ଠାରୁ ପାଇକପଡା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାର ଦୃଶ୍ୟ ।
କାର୍ଯ୍ୟ ଆରମ୍ଭରୁ ହିଁ ନିମ୍ନମାନର କାର୍ଯ୍ୟ ହୋଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ କର୍ଣ୍ଣପାତ କରିନଥିଲେ। ଫଳରେ ଠିକାଦାର ମନମୁଖୀ କାର୍ଯ୍ୟ ଜାରିରଖିଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ।
ରାସ୍ତା ନିର୍ମାଣର ଦିନକ ପରେ ଉଠିଲା ପିଚୁ, ନିମ୍ନମାନର କାର୍ଯ୍ୟ ଅଭିଯୋଗ ସୋମବାର ସନ୍ଧ୍ୟାରେ ବାରିକପଡା ଦେଇ ଯାଇଥିବା ରାସ୍ତାରେ ପିଚୁ କାର୍ଯ୍ୟ କରାଯାଇଥିଲା କିନ୍ତ ସକାଳୁ ହାତ ମାରିବାବେଳକୁ ସେଠାରୁ ପିଚୁ ଉଠି ଯାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ସହ ଘଟଣା ସମ୍ପକରେ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ । ପରେ ତୁରନ୍ତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀ କାର୍ଯ୍ୟସ୍ଥଳରେ ପହଞ୍ଚି ପିଚୁ କାର୍ଯ୍ୟ ନିରିକ୍ଷଣ କରିବା ସହ ନିମ୍ନମାନର କାର୍ଯ୍ୟ ହୋଇଥିବା ସ୍ବୀକାର କରିଥିଲେ । ମାତ୍ର ସେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଏଭଳି ନିର୍ମାଣକାରୀ ସଂସ୍ଥାକୁ ନେଇ ସରକାର କେମିତି ଗାଁ କୁ ସରସ, ସୁନ୍ଦର କରି ଗଢି ତୋଳିବାରେ ସଫଳ ହେବେ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ