ଭବାନୀପାଟଣା: ପାହାଡିଆ ଗାଁ କୁ ଯିବା ପାଇଁ ରାସ୍ତା ନାହିଁ । ଖାଲ ଖମା ରାସ୍ତା ଦେଇ ଗଲେ ପାରି ହେବାକୁ ପଡେ ଇନ୍ଦ୍ରାବତୀ ନଦୀ । ସେ ରୋଗୀ ହେଉ କି ସାଧାରଣ ଲୋକ ସମସ୍ତେ ଏମିତି ନଦୀ ପାରି ହୋଇ ଯା ଆସ ହୁଅନ୍ତି । ଏଇତ ଗଲା ରାସ୍ତାର ଦୃଶ୍ୟ । ଏବେ ଟିକେ ଦେଖନ୍ତୁ ପାଣି ପାଇଁ ଗାଁ ମୁଣ୍ଡରେ ଗରା ଧରି ଗାଁ ଠାରୁ ୨ କିମି ଇନ୍ଦ୍ରାବତୀ ନଦୀକୁ ଆଦିବାସୀ ମହିଳାଙ୍କ ଲମ୍ବା ଲାଇନ । ଏ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ପଞ୍ଚାୟତ ଲାଞ୍ଜିଗଡ ଗାଁର ଦୃଶ୍ୟ ।
ସରକାରଙ୍କ ବିକାଶ ମୂଳକ ସ୍ଲୋଗାନ 'ଗାଁ କୁ ଚାଲ-ଗାଁ କୁ ଗଢ' ସତେ ଯେମିତି ଏଠିକାର ବାସ୍ତବ ଚିତ୍ରକୁ ଦେଖିଲେ ସ୍ଲୋଗାନ ଟି ଫିକା ଲାଗୁଛି । ଏସବୁ ଭିତରେ ଶିକ୍ଷା ସ୍ବାସ୍ଥ୍ୟ କଥା କିଏ ପଚାରେ । ଗାଁ ରେ ୪୦୦ ଲୋକଙ୍କ ପାଇଁ ଗୋଟିଏ ବି ନଳକୂଅ ନାହିଁ । ସେଥିପାଇଁ ଲୋକଙ୍କ ଶୋଷ ମେଣ୍ଟାଉଛି ଗାଁ ଠାରୁ ୨ କିମି ଦୂରରେ ଥିବା ଇନ୍ଦ୍ରାବତୀ ନଦୀ । ଗାଁରେ ସ୍କୁଲ ଅଛି ସତ ହେଲେ ଆବଶ୍ୟକ ଶିକ୍ଷକ ନଥିବାରୁ ପାଠ ପଢାରେ ବାଧାପ୍ରାପ୍ତ ହେଉଛି ।