ଓଡିଶା

odisha

ETV Bharat / state

School Land Issue, ପ୍ରଶାସନର ହସ୍ତକ୍ଷେପ ପରେ ଖୋଲିଲା ସ୍କୁଲ ତାଲା

ଗତ ୪ ଦିନ ତଳେ ଭଗବାନ ମାଝୀ ନାମକ ଜଣେ ବ୍ୟକ୍ତି ସ୍କୁଲ ନିର୍ମାଣ ହୋଇଥିବା ଜମି କୌଣସି ସରକାରୀ ଜମି ନୁହେଁ ବରଂ ତାଙ୍କର ପୈତୃକ ସମ୍ପତ୍ତି ବୋଲି କହି ସ୍କୁଲରେ ତାଲା ପକାଇ ଦେଇଥିଲେ । ଫଳରେ ବିଗତ ୪ ଦିନ ଧରି ସ୍କୁଲରେ ପାଠ ପଢା ବନ୍ଦ ରହିଥିଲା । ଶେଷରେ ବୁଝାସୁଝା ପରେ ସ୍କୁଲ ତାଲା ଖୋଲାଯାଇଛି । ଅଧିକ ପଢନ୍ତୁ

ପ୍ରଶାସନ ଓ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ସ୍କୁଲରେ ଖୋଲିଲା ତାଲା
ପ୍ରଶାସନ ଓ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ସ୍କୁଲରେ ଖୋଲିଲା ତାଲା

By

Published : Aug 21, 2022, 10:34 AM IST

ଭବାନୀପାଟଣା: ସ୍କୁଲରେ ଝୁଲିଲା ତାଲା । ଶିକ୍ଷାର ମାନ ବୃଦ୍ଧି କରିବା ତଥା ଶିକ୍ଷା କ୍ଷେତ୍ରରେ ସ୍ବଚ୍ଛତା ପାଇଁ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରିକରଣ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ସ୍କୁଲରେ ତାଲା ପଡିଥିଲା । ଗୋଳାମୁଣ୍ଡା ବ୍ଲକ ଖଲିଆକାନି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଜମିକୁ ନିଜ ପୈତୃକ ସମ୍ପତ୍ତି କହି ତାଲା ପକାଇ ଦିଆଯାଇଥିଲା ।

ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ତଳେ ଖାଲିଆକାନି ଗାଁରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସେହି ସ୍କୁଲରେ ୨୬୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଗତ ୪ ଦିନ ତଳେ ସେହି ଗାଁର ଭଗବାନ ମାଝୀ ସ୍କୁଲ ନିର୍ମାଣ ହୋଇଥିବା ଜମି କୌଣସି ସରକାରୀ ଜମି ନୁହେଁ ବରଂ ଏହା ତାଙ୍କର ପୈତୃକ ସମ୍ପତ୍ତି ବୋଲି କହି ସ୍କୁଲରେ ତାଲା ପକାଇ ଦେଇଥିଲେ । ଫଳରେ ବିଗତ ୪ ଦିନ ଧରି ସ୍କୁଲରେ ପାଠ ପଢା ବନ୍ଦ ରହିଥିଲା । ପାଠ ପଢା ବନ୍ଦ ହେବାରୁ ସ୍କୁଲ କମିଟି ଓ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ବ୍ଲକ ଅଧକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।

ତେବେ ଏହି ଘଟଣାକୁ ନେଇ ଆଜି ଜିଲ୍ଲା ଶିକ୍ଷା ବିଭାଗ, ସ୍ଥାନୀୟ ବିଡ଼ିଓ ଏବଂ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହା ସହ ଜମି ମାଲିକ ଭଗବାନ ମାଝୀଙ୍କ ସହିତ ଜମି ବାବଦରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ମାଲିକଙ୍କୁ ସେହି ଜମି ବଦଳରେ ଅନ୍ୟ ସ୍ଥାନରେ ଜମି ଯୋଗାଇ ଦିଆଯିବାର ପ୍ରତିଶୃତି ଦେଇଥିଲେ । ଘଟଣାର ବୁଝାମଣା ପରେ ସ୍କୁଲ ତାଲା ଖୋଲି ପାଠ ପଢା ଆରମ୍ଭ ହୋଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details