ଭବାନୀପଟାଣୀ: ଏମଏସ୍ଏମଇ ପାର୍କ ନିର୍ମାଣକୁ ଆଦିବାସୀଙ୍କ ବିରୋଧ । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଠାରେ ସରକାରଙ୍କ ପକ୍ଷରୁ ଏକ ଏମଏସ୍ଏମଇ ପାର୍କ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଜମି ହିତାଧିକାରୀଙ୍କୁ କ୍ଷତିପୂରଣ ନ ମିଳିବାରୁ ଆନ୍ଦୋଳନ ମୁହାଁ ହେଉଛନ୍ତି ଆଦିବାସୀ । ଅଭିଯୋଗ ଅନୁଯାୟୀ ଗୋଳାମୁଣ୍ଡା ସହର ନିକଟରେ ନିଜସ୍ୱ ୮୦ ଏକର ଜମିରେ ଚାଷ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ୫୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର । ହେଲେ ଗତ କିଛି ଦିନ ତଳେ ଏହି ଜମିରେ ଏକ ଏମଏସ୍ଏମଇ ପାର୍କ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା ।
ଯାହାକୁ ସେହି ସମୟରେ ଜମି ମାଲିକ ବିରୋଧ କରିଥିଲେ । ହେଲେ ଜିଲ୍ଲା ପ୍ରଶାସନ ଏନେଇ ଏକ ବୈଠକରେ ଜମି ହିତାଧିକାରୀଙ୍କ ସହ ଆଲୋଚନା କରି କ୍ଷତିପୂରଣ ଦେବାର ପ୍ରତିଶୃତି ଦେବା ପରେ ସେହି ଜମିରେ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜମି ହିତାଧିକାରୀଙ୍କୁ କ୍ଷତିପୂରଣ ନ ଦେଇ କାର୍ଯ୍ୟ ଆରମ୍ଭ କରିବାରୁ ବିରୋଧ କରି କାର୍ଯ୍ୟବନ୍ଦ କରାଇଥିଲେ ଆଦିବାସୀ ।