ଭବାନୀପାଟଣା:ମଣିଷ ପରିସ୍ଥିତିର ଦାସ । କ୍ଷଣିକେ ସୁଖ କ୍ଷଣିକେ ଦୁଃଖ । କେତେବେଳେ ଯେ ମଣିଷ ଭାଗ୍ୟରେ କଣ ଘଟିବ ସେଇଟା ହିଁ ଭଗବାନ ନିର୍ଣ୍ଣୟ କରିଥାନ୍ତି । ବାପାର ଦେହାନ୍ତ ପରେ ମାଆର ପଣତ କାନିରେ ଘୋଡେଇ ହୋଇ ସାହାରା ନେଇଥିଲେ ୩ ଛୁଆ । ହେଲେ ସମୟ ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ କ୍ଷଣିକ ଭିତରେ ସବୁ ଓଲଟପାଲଟା ହୋଇଗଲା । ବାପାଙ୍କର ମୃତ୍ୟୁ ପରେ ଛୁଆଙ୍କୁ ଗୋଡରେ ଆଡେଇ ଘରୁ କୁଆଡେ ଚାଲିଗଲା ମାଆ । ଫଳରେ ୩ କୋମଳ ମତି ଶିଶୁ ଅନାଥ ଭଳି ଜୀବନ ବିତାଉଛନ୍ତି । ଫଳରେ ଦୁଇ ଭାଇଭଉଣୀଙ୍କୁ ମଣିଷ କରିବା ପାଇଁ ପାଠରେ ଡୋରି ପକାଇଛି ବଡଭଉଣୀ । ସ୍କୁଲ ଯିବା ବୟସରେ କଲମ ଖାତା ଧରି ପାଠ ପଢିବା ହାତରେ ଏବେ କୁଲିମଜୁରି କରି ୨ ଭାଇ ଭଉଣୀଙ୍କ ପେଟକୁ ଖାଦ୍ୟ ଯୋଗାଉଛି । ଦୁଇ ଭାଇ ଭଉଣୀଙ୍କୁ ମଣିଷ କରିବା ପାଇଁ ପାଠ ଛାଡି ଶ୍ରମିକ ସାଜିଛି ନାବାଳିକା ଜ୍ୟୋତ୍ସ୍ନା । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବୋରଗୁଡା ଗାଁରେ ।
ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ବୋରଗୁଡା ଗାଁର ଶ୍ୟାମ ମାଝୀ ଓ ସ୍ତ୍ରୀ ଲକ୍ଷ୍ମୀ ମାଝୀଙ୍କ ୩ ପୁଅ ଝିଅଙ୍କୁ ନେଇ ଗୋଟିଏ ସୁନ୍ଦର ସଂସାର ଥିଲା । ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ ହେଲେ ଦଇବ ସହିଲା ନାହିଁ । ଗତ ୬ ବର୍ଷ ତଳେ ଶ୍ୟାମ ମାଝୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆରପାରିକି ଚାଲିଗଲେ । ତାଙ୍କ ସ୍ତ୍ରୀ ୩ ଜଣ ଶିଶୁଙ୍କୁ ପ୍ରତିପୋଷଣ କରି ଆସୁଥିଲେ । ହେଲେ କୌଣସି କାରଣ ବଶତଃ ୩ ଛୁଆଙ୍କୁ ଛାଡି ମାଆ ଜଣକ କେଉଁଆଡେ ଚାଲିଗଲା । ମାଆ ଛାଡି ଚାଲିଗଲା ପରେ ୩ ଛୁଆ ଅନାଥ ଅବସ୍ଥାରେ ଏବେ ଜୀଵନ ଅତିବାହିତ କରୁଛନ୍ତି ।