ଭବାନୀପାଟଣା:ହଜି ଯାଉଥିବା ହାବସପୁରୀ କଳାକୁ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜାଗାରେ ଶାଢୀ ପ୍ରସ୍ତୁତ କରାଯାଏ । ସେଥିମଧ୍ୟରୁ ବରପାଲି ଶାଢୀ, ସୋନପୁରୀ ଶାଢୀ, ବାନ୍ଧ ଶାଢୀ, ବୌଦ୍ଧ ଶାଢୀ ଓ ସମ୍ବଲପୁରୀ ଶାଢୀ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ସେଥି ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ହାବସପୁରୀ ଶାଢୀ ମଧ୍ୟ ଜିଲ୍ଲା ରାଜ୍ୟ ଦେଶ ତଥା ଦେଶ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ସତ କିନ୍ତୁ ହାବସପୁରୀ ଶାଢୀର (habaspuri saree) ପ୍ରଚାର ପ୍ରସାର ପାଇଁ ସରକାର ସେତେ ଆଗ୍ରହ ଦେଖାଇ ନାହାନ୍ତି । ତେଣୁ ଏହି କଳାହାଣ୍ଡିର ହାବସପୁରୀ ଶାଢୀ ଓ ଶାଢୀ ତିଆରି କରୁଥିବା ବୁଣାକାରମାନେ ନିଜର ରୋଜଗାର ହରାଇ ବସୁଥିବା ଜଣାପଡିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପକ୍ଷରୁ ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାବସପୁରୀ କପଡାର ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ବୁଣାକାରଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି ।
କଳାହାଣ୍ଡି ଜିଲ୍ଲାରେ ଉନବିଂଶ ଶତାବ୍ଦୀରେ ଲୋକମାନେ ହାବସପୁରୀ ଶାଢ଼ୀ ବୁଣାକାମ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଭୁଲିଆ ସମ୍ପ୍ରଦାୟର ଲୋକମାନେ ଏହାକୁ କୌଳିକ ବୃତ୍ତି ହିସାବରେ ଗ୍ରହଣ କରିଥିବା କୁହାଯାଏ । ବର୍ତ୍ତମାନ ଯୁଗରେ ବିଭିନ୍ନ ଶାଢ଼ୀ ବଜାରକୁ ଆସିବା ଯୋଗୁଁ ହାତବୁଣା ଶାଢ଼ୀର ଚାହିଦା କମିବାକୁ ଲାଗିଲା । ବୁଣାକାରଙ୍କ ବେପାର କମି ଯିବାରୁ ଶାଢ଼ୀବୁଣା ଛାଡି ଅନ୍ୟ କାମରେ ସମୟ ଦେଇ ପରିବାର ପ୍ରତିପୋଷଣ କରୁଛନ୍ତି । ଫଳରେ ହାବସପୁରୀ ଶାଢ଼ୀ ଆଉ ବଜାରରେ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ଏହି ଶାଢ଼ୀ ଧିରେ ଧିରେ ବିଲୁପ୍ତ ହେବାକୁ ବସିଲାଣି । ତେଣୁ ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ସଞ୍ଜୟ ଶତପଥି ଓ ଡିଜାଇନର ସୁଜିତ ମେହେର ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ବିଶ୍ବ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାବସପୁରୀ କପଡାର ଡ୍ରେସ କୋଡ ପରିଧାନ କରିବେ ଯାହା ହଜି ଯାଉଥିବା ହାବସପୁରୀ କଳା ଓ ସଂସ୍କୃତି ପୁଣିଥରେ ଲୋକଙ୍କ ପାଖରେ ଆଦୃତ ହେବ ।