କଳାହାଣ୍ଡି: କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାଣି ଟୋପେ ମିଳିବା କଷ୍ଟକର ହୋଇପଡୁଛି । ଭୂତଳ ଓ ଭୂପୃଷ୍ଠ ଜଳ ଉତ୍ସ ସବୁ ଧିରେ ଧିରେ ଖସିବାରେ ଲାଗିଛି । ତେଲ ଓ ହାତୀ ନଦୀ ହିଁ ଲୋକଙ୍କ ପାନୀୟ ଜଳ ପାଇଁ ବଡ଼ ଭରସା ହୋଇଥିବା ବେଳେ ଏବେ ଏହି ଦୁଇ ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଉଛି । ଏପ୍ରିଲ ମାସ ଆରମ୍ଭରୁ କୂଅ, ନଳକୂପ ଗୁଡ଼ିକରେ ଜଳ ଅତି ଗଭୀରକୁ ଚାଲିଗଲାଣି, ଅନ୍ୟ ଜଳ ଉତ୍ସ ସବୁ ଧିରେ ଧିରେ ଶୁଖିଯାଉଛି ।
ଏହି ଜିଲ୍ଲାରେ ଯେତେ ପାନୀୟ ଜଳ ପ୍ରକଳ୍ପ ଅଛି, ସେଥିରୁ ଅର୍ଦ୍ଧାଧିକ ଅଧପନ୍ତରିଆ । ବର୍ଷ ବର୍ଷ ଧରି ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଅସହାୟ ପରିବାର କୂଅ ଖୋଳି ପାଣି ସଂଗ୍ରହ କରୁଛନ୍ତି । ବୋହି ଯାଉଥିବା ନାଳପାଣି ଓ ଛୋଟ ଛୋଟ ଝରଣା ପାଣିକୁ ଆଶ୍ରା କରି ଚଳିଆସୁଛନ୍ତି । ଏବେ ବି ଅନେକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ରାଜ୍ୟ ସରକାର ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକଙ୍କୁ ପିଇବା ପାଣି ସୁନିଶ୍ଚିତ କରିପାରି ନାହାଁନ୍ତି । ଜିଲ୍ଲାରେ ପାନୀୟ ଜଳ ଯୋଗାଣର ସ୍ଥିତି ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣର ତଥ୍ୟ କହୁଛି ଯେ, ଅଧୁରା ଜଳଯୋଗାଣ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରାଯିବା ସହ ରକ୍ଷଣାବେକ୍ଷଣ କାମକୁ ପ୍ରାଥମିକତା ଦିଆଯାଇଛି ।
କଳାହାଣ୍ଡି ଜିଲ୍ଲାରେ ବସୁଧା ଯୋଜନାରେ ଜଳଯୋଗାଣ ପାଇଁ ୨୦୬୨ ରାଜସ୍ବ ଗ୍ରାମକୁ ଚିହ୍ନଟ କରାଯାଇଛି । ସେଥିରୁ ଏପର୍ଯ୍ୟନ୍ତ ୩୪୫ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିଛି । ଅନ୍ୟ ୧୭୧୭ ରାଜସ୍ୱ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରି ନାହିଁ । ବସୁଧା ଯୋଜନାରେ ୫୨୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରି ନାହିଁ । କଳାହାଣ୍ଡି ଜିଲ୍ଲାର ୧୩ ବ୍ଲକରେ ୧୯୬୫୧ ନଳକୂଅ ଅଛି । କିନ୍ତୁ, ପ୍ରତି ମାସ ସେଥିରୁ ୩୦ରୁ ୪୦ ନଳକୂଅ ଅଚଳ ହୋଇ ପଡୁଥିବାରୁ ସେଗୁଡ଼ିକର ମରାମତି ପାଇଁ ନିୟମିତ ଭାବେ ଏକ ଭ୍ରାମ୍ୟମାଣ ଗାଡ଼ିରେ ୪ ଜଣ କର୍ମଚାରୀ ଗାଁ ଗାଁ ବୁଲୁଛନ୍ତି । ଆସନ୍ତା ୨୦୨୪ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ପିଇବା ପାଣିର ଅଭାବ ରହିବ ନାହିଁ ବୋଲି ବିଭାଗ ଆଶା ରଖିଛି ।