ଭବାନୀପାଟଣା:ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶାରୁ ୪ ଜଣ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ପଟାୟତ ସାହୁ ଅନ୍ୟତମ । ୩ ହଜାରରୁ ଅଧିକ ବହୁ ବିଲୁପ୍ତ ଔଷଧୀୟ ବୃକ୍ଷ ବଞ୍ଚାଇ ରଖିବା ପାଇଁ କୃଷି ବର୍ଗରେ ତାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି । କଳାହାଣ୍ଡି ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବରେ ସେ ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି । ପଟାୟତ ନିଜ ଘର ପଛପଟେ ଦେଢ ଏକର ଜମିରେ ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷରୋପଣ କରି ମେଡିକାଲ ଗାର୍ଡେନ ସୃଷ୍ଟି କରିଛନ୍ତି । ୪୦ ବର୍ଷ ଧରି ସେ ଏହି କାର୍ଯ୍ୟ କରିଆସୁଥିବା ବେଳେ ତାଙ୍କର ଏହି ବର୍ଷ ବର୍ଷର ସାଧନା ପାଇଁ ଏବେ ସମ୍ମାନ ମିଳିବାକୁ ଯାଉଛି । ସେ ଏହି ବୃକ୍ଷଲତାର ଫଳ, ଫୁଲ, ପତ୍ର ଚେରମୂଳରୁ ଔଷଧ ପ୍ରସ୍ତୁତ କରି ଆୟୁର୍ବେଦିକ ଚିକିତ୍ସା କରନ୍ତି ।
କଳାହାଣ୍ଡି ଜିଲ୍ଲା ନାନ୍ଦୋଳ ଗ୍ରାମରେ ପଟାୟତ ସାହୁଙ୍କ ଘର । ୪୦ ବର୍ଷ ପୂର୍ବେ ସେ ନିଜ ବାଡିରେ ଔଷଧୀୟ ବୃକ୍ଷ ଲଗାଇବା ଆରମ୍ଭ କରିଥିଲେ । ଯୁବାବସ୍ଥା ଏହା ତାଙ୍କର ସଉକ ଥିବାବେଳେ ପରେ ଏହା ତାଙ୍କ ନିଶା ପାଲଟିଥିଲା । ପଟାୟତ ଦେଶର ବିଭିନ୍ନ ସ୍ଥାନରୁ ନାନାପ୍ରକାର ବିଲୁପ୍ତପ୍ରାୟ ଔଷଧୀୟ ବୃକ୍ଷ ସଂଗ୍ରହ କରି ନିଜ ବାଡିରେ ଲଗାଇଥିଲେ ଏବଂ ନିଜସ୍ବ ଉଦ୍ୟମରେ ଆୟୁର୍ବେଦ ବଣ ତିଆରି କରିଥିଲେ । ୨୫ ବର୍ଷ ବୟସରୁ ଅନବରତ ସେ ଏହି ବୃକ୍ଷର ସଂରକ୍ଷଣ ଏବଂ ବୃଦ୍ଧି ପାଇଁ କାର୍ଯ୍ୟ କରିଆସୁଛନ୍ତି । ଏଥିପାଇଁ ସେ ରାସାୟନିକ ସାର ବଦଳରେ ଜୈବିକ ସାର ପ୍ରୟୋଗ କରନ୍ତି । ଏହିପରି ଭାବେ ବାଡିରେ ଆୟୁର୍ବେଦିକ ଉଦ୍ୟାନ ସୃଷ୍ଟି କରି ୩ ହଜାର ପ୍ରକାର ଔଷଧୀୟ ବୃକ୍ଷ ବଞ୍ଚେଇବାରେ ସଫଳ ହୋଇଛନ୍ତି ପଟାୟତ ସାହୁ ।
ପଟାୟତ ଦିନ ବେଳେ ଚାଷୀ ରୂପେ ବଗିଚାରେ କାମ କରୁଥିବା ବେଳେ ରାତ୍ରିରେ ଜଣେ ବୈଦ୍ୟ ରୂପେ ଆୟୁର୍ବେଦ ଚିକିତ୍ସା କରନ୍ତି । ଏଥିପାଇଁ ତାଙ୍କୁ ବନୌଷଧି ପ୍ରବୀଣ, ଆୟୁର୍ବେଦ ଶିରୋମଣି, ବନୌଷଧି ବିଶାରଦ ଭଳି ଅନେକ ଉପାଧି ମିଳିଛି । ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟ ନେଇ ସମଗ୍ର ଓଡ଼ିଶାରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଏବେ ତାଙ୍କର ୪୦ ବର୍ଷର ସାଧନ ପାଇଁ ମିଳିବାକୁ ଯାଉଛି ପଦ୍ମଶ୍ରୀ ସମ୍ମାନ ।