ଭବାନୀପାଟଣା: ଆସିଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତ ଜନନୀ ମା' ଦୁର୍ଗା । ଏନେଇ ଚାରିଆଡେ ଉତ୍ସବର ମାହୋଲ । ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲାଣି ତୋରଣ ସଜ୍ଜା । ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଦୀର୍ଘ ଦୁଇ ବର୍ଷ ଧରି କୋରୋନା କଟକଣା ପରେ ଚଳିତ ବର୍ଷ ଧୁମଧାମରେ ପାଳିତ ହେବ ଦୁର୍ଗାପୂଜା । ଚଳିତ ବର୍ଷ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ନକଟିଗୁଡା ପୂଜ କମିଟି ପକ୍ଷରୁ ଆକର୍ଷଣ ସାଜିବ ଭାରତର ରାଷ୍ଟ୍ରପତି ଭବନ ।
ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଆକର୍ଷଣକୁ ବିଶେଷ ଗୁରୁତ୍ବ ଦିଆଯାଇଥିବା ବେଳେ ଚଳିତ ବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ଭାରତର ରାଷ୍ଟ୍ରପତି ଭବନ ସଦୃଶ ତୋରଣ ତିଆରି କରିବା ଆରମ୍ଭ ହୋଇଛି । ଦେଶ ସ୍ଵାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ରାଷ୍ଟ୍ରପତି ଭବନ ସହ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ଦୃଶ୍ୟମାନ ହେବ ।
ସାରା ସହରକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ କରିବା ଲାଗି ବ୍ୟବସ୍ଥା ହୋଇଛି । ଫଳରେ ଦେବୀ ଭକ୍ତି ସହ ଦେଶ ଭକ୍ତିର ମିଶ୍ରଣରେ ଝଲସି ଉଠିବା ସହର । ଯାହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଲାଣି । ସେପଟେ ସହରର ସବୁଠୁ ପୁରୁଣା ଜନତା ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ପୋଡିକୁ ବିଶେଷ ଗୁରୁତ୍ବ ଦିଆଯାଇଥିବା ବେଳେ ମୂର୍ତ୍ତି କାରିଗର ମାନେ ମଧ୍ୟ ମାଆଙ୍କ ମୂର୍ତ୍ତି ନିର୍ମାଣରେ ଲାଗି ପଡିଛନ୍ତି ।