କଳାହାଣ୍ଡି: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଦାଦନ ଖଟିବାକୁ ଯାଇ ପଡିଲେ ବନ୍ଧକ । ଦଲାଲର ପ୍ରଲୋଭନରେ ପଡି ନିର୍ଯାତନାର ଶିକାର ହେଲେ କଳାହାଣ୍ଡିର ଗୋଟିଏ ପରିବାରର ୬ ସଦସ୍ୟ । ଟଙ୍କା ରୋଜଗାର ପାଇଁ ଦାଦନ ଖଟିବାକୁ ଯାଇଥିବା ପରିବାରକୁ ବନ୍ଧକ ରଖିଛି ମାଲିକ । କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରିଛି । କେତେବେଳେ ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇ କିଏ ପଙ୍ଗୁ ହୋଇ ଫେରୁଛି ତ ପୁଣି ଆଉ କାହାର ଫେରୁଛି ମୃତଦେହ । ଗତ ୪ ଦିନ ମଧ୍ୟରେ ଜିଲ୍ଲାକୁ ଦୁଇଜଣ ଦାଦନ ଶ୍ରମିକଙ୍କ ମୃତଦେହ ନିଜ ଭିଟାମାଟିକୁ ଫେରିଥିବା ବେଳେ ଦାଦନ ପ୍ରଥାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରଚେଷ୍ଟା ଫେଲ ମାରିଛି ।
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିସର ଗାଁରୁ ଗୋଟିଏ ଶ୍ରମିକ ପରିବାର ତାମିଲନାଡୁର ବୀରାକୁପମ ନିକଟରେ ବନ୍ଧକ ପଡିଥିବା ଜଣାପଡିଛି । ଗାଁର ଜଣେ ଦାଦନ ଦଲାଲଙ୍କ କଥାରେ ପଡି ୭ ମାସ ତଳେ ପରିବାର ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେମାନେ ଏକ ଇଟାଭାଟିରେ ନିୟୋଜିତ ଥିଲେ । ତେବେ ଦଲାଲ ଜଣକ ଇଟାଭାଟି ମାଲିକଠାରୁ ଟଙ୍କା ଧରି ଚମ୍ପଟ ମାରିଥିବାରୁ ଉକ୍ତ ଶ୍ରମିକମାନଙ୍କୁ ଇଟାଭାଟି ମାଲିକ ଟଙ୍କା ନଦେଇ ଏବେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଦାଦନ ଶ୍ରମିକ। ଏବେ ଉକ୍ତ ୬ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଭିଡିଓ ଜରିଆରେ ନିବେଦନ କରିଛନ୍ତି ପରିବାର ଲୋକେ ।