ଭବାନିପାଟଣା: କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ସାଜିଛି ଦାଦନ ଶ୍ରମିକ । ଦାଦନକୁ ରୋକିବା ପାଇଁ ସରକାର ଆନେକ ଯୋଜନା କରୁଥିବା ବେଳେ ସବୁ ଫେଲ୍ ମାରିଛି । କାମ ପାଇଁ ଘରଛାଡି ଯାଇଥିବା ପୁଅ ଆଉ ଫେରିଲାନି । ହେଲେ ଫେରିଛି ତାର ମୃତ୍ୟର ଖବର । କାଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ବରଗାଁରେ ଏବେ ପୁଅର ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକେ ଗୁହାରି କରିଛନ୍ତି । ଗ୍ରାମର କିଛି ଯୁବକଙ୍କ ସହ ଦାଦନ ଖଟିବାକୁ ଯାଇଥିବା ୨୪ ବର୍ଷୀୟ ଜଗତ ରାମ ମାଝୀଙ୍କ ମୃତ୍ୟୁ ହୋଇଛି । ହେଲେ ମୃତଦେହ କିଭଳି ଫେରାଇ ଆଣିବେ ସେ ଚିନ୍ତାରେ ପରିବାର ।
ସୂଚନାନୁଯାୟୀ, ୨୪ ବର୍ଷୀୟ ଜଗତ ରାମ ମାଝୀ ଗତ ଦୁଇବର୍ଷ ତଳେ ପରିବାର ପ୍ରତିପୋଷଣ କରିବା ପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଏକ କମ୍ପାନୀରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । କାମ କରିବା ସମୟରେ କୌଣସି କାରଣରୁ ସେ ତଳକୁ ଖସି ପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସାଥି ଶ୍ରମିକ ଘଟଣା ସମ୍ପର୍କରେ ଜଗତ ରାମଙ୍କ ପରିବାର ଓ ସମ୍ପୃକ୍ତ ଠିକା କମ୍ପାନୀ ମାଲିକଙ୍କୁ ଜଣାଇଥିଲେ । ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକଙ୍କ ପାଦତଳୁ ମାଟି ଖାସି ଯାଇଛି । ପୁଅ ତ ଫେରିଲା ନାହିଁ କିନ୍ତୁ ପୁଅର ମୃତଦେହ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରାସ୍ତ ହୋଇଛନ୍ତି ପରିବାର । ଜିଲ୍ଲା ଶ୍ରମ ବିଭାଗ ଏଥିରେ ହସ୍ତକ୍ଷେପ କରି ମୃତଦେହ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ମୃତ ଦାଦନ ଶ୍ରମିକଙ୍କ ପରିବାର ।