ଭବାନୀପାଟଣା :କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ଦାଦନ ଦୁଃଖ । କାମ କରିବାକୁ ଯାଇ ସିକନ୍ଦରାବାଦରେ ଗଲା ଯୁବକଙ୍କ ଜୀବନ (Kalahandi migrant labour died) । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ସର୍ଗିଗୁଡା ଗାଁର ତେଜନ ନାଏକ । ପରିବାର ପ୍ରତିପୋଷଣ ଆଶାରେ ଗତ ୭ ମାସ ତଳେ ସିକନ୍ଦରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଆଜି କାମ କରୁଥିବା ସମୟରେ ହଠାତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ ହରାଇଛନ୍ତି ।
ତେଜନ ଓମ୍ ସାଇ ଗ୍ୟାଲେକ୍ସି ନାମକ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ । କାମ କରି ପ୍ରତ୍ୟେକ ମାସରେ ପରିବାର ପ୍ରତିପୋଷଣ ପାଇଁ ଟଙ୍କା ମଧ୍ୟ ପଠାଉଥିଲେ । ଯେଉଁଥିରେ ତାଙ୍କ ପରିବାର ଚଳୁଥିଲା । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଆଜି କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ହିଁ ତେଜନଙ୍କ ମୃତ୍ୟୁ ହୋଇଥିଲା ।
ଏନେଇ ସେଠାରେ ଉପସ୍ଥିତ ଥିବା ଶ୍ରମିକମାନେ ତୁରନ୍ତ ଠିକା ସଂସ୍ଥା ମାଲିକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଠିକା ସଂସ୍ଥା ମାକିକ ଏନେଇ ତେଜନ ନାଏକଙ୍କ ପରିବାରକୁ ଜଣାଇବା ସହ ଆମ୍ବୁଲାନ୍ସ ଯୋଗେ ତେଜନଙ୍କ ମୃତଦେହ ଗାଁକୁ ପଠାଇଥିଲେ । ଅନ୍ୟପକ୍ଷରେ ଘରର ଏକମାତ୍ର ରୋଜଗାରିଆ ଲୋକକୁ ହରାଇ ଏବେ ବେସାହାରା ହୋଇପଡ଼ିଛି ପୁରା ପରିବାର ।