ଓଡିଶା

odisha

By

Published : Jun 5, 2023, 9:59 PM IST

ETV Bharat / state

ସ୍ବପ୍ନ ହେଲା ପୂରଣ, ଶହୀଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ ହେବ କଳାହାଣ୍ଡି ମେଡ଼ିକାଲ କଲେଜ

କଳାହାଣ୍ଡିବାସୀଙ୍କ ଦାବି ପୂରଣ କଲେ ମୁଖ୍ୟମନ୍ତ୍ରୀ । ଆଦିବାସୀ ସର୍ଦ୍ଦାର ଶହୀଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ ହେବ କଳାହାଣ୍ଡି ମେଡ଼ିକାଲ କଲେଜ । ଅଧିକ ପଢ଼ନ୍ତୁ

kalahandi medical collage
କଳାହାଣ୍ଡି ମେଡ଼ିକାଲ କଲେଜ

କଳାହାଣ୍ଡି ମେଡ଼ିକାଲ କଲେଜ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି । ଆଦିବାସୀ ସର୍ଦ୍ଦାର ଶହୀଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ ହେବ କଳାହାଣ୍ଡି ମେଡ଼ିକାଲ କଲେଜ । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଦାନ ମାଝୀ ଘଟଣାକୁ ଲୋକଲୋଚନରୁ ହଟାଇବା ପାଇଁ ରାଜ୍ୟ ସରକାର ଭଙ୍ଗାବାରୀ ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଘୋଷଣା କରିଥିଲେ । ଦୀର୍ଘ ଦିନରୁ ଜିଲ୍ଲାବାସୀ କଳାହାଣ୍ଡି ମେଡ଼ିକାଲ କଲେଜକୁ ଆଦିବାସୀ ସର୍ଦ୍ଦାର ଶହୀଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିବା ପାଇଁ ଦାବି କରି ଆସୁଥିଲେ ।

୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସରକାରୀ ମେଡିକାଲ କଲେଜ ପାଇଁ ଶିଳାନ୍ୟାସ କରାଯାଇଥିଲା । ଏଥିରେ ୧୦୦ ସିଟ ଏମ୍‌ବିବିଏସ୍ ପାଠପଢ଼ା ନିମନ୍ତେ ଜାତୀୟ ମେଡିକାଲ କମିସନ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ପରବର୍ତ୍ତୀ ସମୟରେ କମିସନ ପକ୍ଷରୁ ୧୦୦ ସିଟ ଏମ୍‌ବିବିଏସ୍ ନିମନ୍ତେ ଅନୁମୋଦନ ଦିଆଯାଇଛି । ବର୍ତ୍ତମାନ ସରକାରୀ ମେଡିକାଲ କଲେଜରେ ୫ ଜଣ ପ୍ରଫେସର, ୧୪ ଜଣ ଆସୋସିଏଟ ପ୍ରଫେସର, ୨୪ ଜଣ ଆସିଷ୍ଟାଣ୍ଟ ପ୍ରଫେସର ସମେତ ୪୩ ଜଣ ନିଯୁକ୍ତ ହୋଇସାରିଛନ୍ତି ।

ସେହିଭଳି ଡିନ୍‌ ଓ ଅଧ୍ୟକ୍ଷ ଭାବରେ ଡା. ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମେଡିକାଲ ଅଧୀକ୍ଷକ ଭାବରେ ପ୍ରଫେସର ହରେକୃଷ୍ଣ ଦଳେଇ ଯୋଗ ଦେଇଛନ୍ତି । ମେଡିସିନ, ସର୍ଜରି, ଆନାସ୍ତେସିଆ, ପ୍ରସ୍ତୁତି ଓ ସ୍ତ୍ରୀ ରୋଗ, ଫିଜିଓଲୋଜି, ବାୟୋକେମିଷ୍ଟ୍ରି ବିଭାଗର ପ୍ରଫେସରମାନେ ଯୋଗ ଦେଇଛନ୍ତି । ଧାର୍ଯ୍ୟ ପଦବୀର ୮୬ ପ୍ରତିଶତ ପଦବୀ ପୂରଣ ହୋଇସାରିଛି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ୧୦୦ ସିଟ ନିମନ୍ତେ ନାମ ଲେଖାଇବେ ।

ବର୍ତ୍ତମାନ କଲେଜ ପାଇଁ କୋଠା ନିର୍ମାଣ ସରିଥିବା ବେଳେ ଟିଚିଂ ହସ୍ପିଟାଲ ନିମନ୍ତେ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଟିଚିଂ ହସ୍ପିଟାଲ ନିର୍ମାଣ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ ହୋଇଛି । ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଅସ୍ଥାୟୀ ଭାବରେ ଟିଚିଂ ହସ୍ପିଟାଲ ନିର୍ମାଣ ହୋଇଛି । ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଥିବା ବେଳେ ଡାକ୍ତରୀ ପଢ଼ିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଏନେଇ କଳାହାଣ୍ଡି ବାସିନ୍ଦା କହିଛନ୍ତି," ଦୀର୍ଘ ଦିନରୁ ଜିଲ୍ଲାବାସୀ କଳାହାଣ୍ଡି ମେଡ଼ିକାଲ କଲେଜକୁ ଆଦିବାସୀ ସର୍ଦ୍ଦାର ଶହୀଦ ରେଣ୍ଡୋ ମାଝୀଙ୍କ ନାଁମରେ ନାମିତ କରିବା ପାଇଁ ଦାବି କରି ଆସୁଥିଲେ । ଏହି ଦାବିକୁ ରାଜ୍ୟ ସରକାର ଗ୍ରହଣ କରିବା ସହ କଳାହାଣ୍ଡି ମେଡ଼ିକାଲ କଲେଜକୁ ସହିଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ କରିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଉଛି ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details