ଓଡିଶା

odisha

ETV Bharat / state

କମ୍ପାନୀର ତାଡନାରେ ବିସ୍ଥାପିତ ଛଟପଟ

କଳାହାଣ୍ଡି ଜିଲ୍ଲାକୁ ବେଦାନ୍ତ କମ୍ପାନୀ ପାଦ ଦେବାର ଆଜକୁ ୧୬ ବର୍ଷ ବିତିଯାଇଛି ଆଉ ସବୁ ଆଶା ଆଶାରେ ହିଁ ରହିଯାଇଛି । ଆଜି କମ୍ପାନୀରେ ଆଲୁମିନା ଉତ୍ପାଦନ ଚାଲିଛି ସେପଟେ କିନ୍ତୁ ବିସ୍ଥାପିତ କମ୍ପାନୀର ତାଡନାରେ ଛଟପଟ । ନାଁ ଅଛି ଜମିବାଡି ନାଁ ଅଛି ଘରଦ୍ବାର ।

By

Published : Aug 12, 2019, 5:52 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: କମ୍ପାନୀ ଆସିଛି ଆମର ବିକାଶ ହେବ । ନିଯୁକ୍ତି ସହ ରୋଜଗାର ବଢିବ । ସାମାଜିକ ସ୍ଥିତିରେ ସୁଧାର ଆସିବ । ଏମିତି କିଛି ଆଶା ନେଇ କମ୍ପାନୀ ହାତରେ ସବୁକିଛି ଟେକି ଦେଇ ବିସ୍ଥାପିତ ଏବେ ବେସାହାରା । କଳାହାଣ୍ଡି ଜିଲ୍ଲା କୁ ବେଦାନ୍ତ କମ୍ପାନୀ ପାଦ ଦେବାର ଆଜକୁ ୧୬ ବର୍ଷ ବିତିଯାଇଛି ଆଉ ସବୁ ଆଶା ଆଶାରେ ହିଁ ରହିଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ । କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିଜମା ରାଜ୍ୟ ସରକାର ଯୋଗାଇ ଦେଲେ । ଆଉ ବିସ୍ଥାପିତ ହେଲା ଅନେକ ଗାଁ । ଆଜି କମ୍ପାନୀରେ ଆଲୁମିନା ଉତ୍ପାଦନ ଚାଲିଛି ସେପଟେ କିନ୍ତୁ ବିସ୍ଥାପିତ କମ୍ପାନୀର ତାଡନାରେ ଛଟପଟ । ନାଁ ଅଛି ଜମିବାଡି ନାଁ ଅଛି ଘରଦ୍ବାର । ଏମିତି କିଛି ଅଭିଯୋଗ ଆସିଥିଲା ଆରପିଡିଏସି ବୈଠକରେ ।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ର ଅଷ୍ଟମ ଆରପିଡିଏସି ବୈଠକ । ଏଥିରେ କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ସାଂସଦ, ଲାଞ୍ଜିଗଡ଼ ବିଧାୟକ, ଲାଞ୍ଜିଗଡ଼ ବେଦାନ୍ତ ସିଇଓଙ୍କ ସମେତ ଲାଞ୍ଜିଗଡ଼ ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀମାନେ ଯୋଗଦେଇଥିଲେ ।

ବୈଠକରେ ବିସ୍ଥାପିତଙ୍କ ଥଇଥାନ ପ୍ୟାକେଜ ଏବଂ ବେଦାନ୍ତ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ବନ୍ଦଗୁଡା, ରେଙ୍ଗୋପାଲି ଏବଂ କୋଠ ଦୁଆର ଗ୍ରାମବାସୀଙ୍କ ଥଇଥାନ ସମ୍ପର୍କରେ ଆଲୋଚନା ହେବା ସହ ରେଡ଼ମଡ଼ ପଣ୍ଡ ଦ୍ବାରା ପ୍ରଭାବିତ ସମ୍ପର୍କରେ ଆଲୋଚନା ହୋଇଛି । ଏଥିସହ ବେଦାନ୍ତ ଆଲୁମିନା କାରଖାନା ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ବେଦାନ୍ତ ଆଲୁମିନା ଏନେଇ ୧୧୭.୯୮ ଏକର ଜମି ଅଧିଗ୍ରହଣ କରିଛି । ହେଲେ ରେଙ୍ଗୋପଲି ଓ ବନ୍ଦଗୁଡ଼ା ଗାଁ ର ଅଧିଗୃହୀତ ଜମିର ୮୦ ପ୍ରତିଶତ କ୍ଷତିପୂରଣ ଅର୍ଥ ଆଜି ପର୍ଯ୍ୟନ୍ତ ପୈଠ ହୋଇନଥିବା ବେଳେ ଏହି ମାମଲାଟି କୋର୍ଟର ବିଚାରଧୀନ ଅଛି । ଏହି ଗାଁ ର ୨୩୪ ଟି ପରିବାର ପ୍ରକଳ୍ପ ପ୍ରଭାବିତ ବୋଲି ଚିହ୍ନଟ ହୋଇଛି । ଏହି ବୈଠକରେ ୨୩୪ ଟି ପରିବାର ନିମନ୍ତେ ବୁଝାମଣାରେ ଏକକାଳିନ ସେଟେଲମେଣ୍ଟ ପ୍ୟାକେଜ ପାଇଁ ଚୂଡାନ୍ତ ହୋଇଛି।

୧୦୮ ଜଣ କର୍ମନିଯୁକ୍ତି ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆରଡିସି ଏହି ପ୍ରସଙ୍ଗରେ କ୍ଷେତ୍ର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details