ଭବାନୀପାଟଣା: କଲେଜ ଯିବି ପାଠ ପଢ଼ିବି, ଭଲ ଚାକିରି କରିବି । ଏଭଳି ଉଜ୍ବଳ ଭବିଷ୍ୟତ ଗଢିବା ପାଇଁ ସ୍ଵପ୍ନ ଦେଖୁଥିବା ଜଣେ ଛାତ୍ରୀର ଜୀବନ ଏବେ ଯନ୍ତ୍ରଣାଦାୟକ ହୋଇପଡ଼ିଛି । ପାଠପଢା ବୟସରେ ପିଠି ଉପରେ ଦୁଃଖର ପାହାଡ ଲଦି ଦେଇଛି ଦଇବ । ପିଠିରେ ହୋଇଥିବା ଛୋଟିଆ ଆବୁ ଏବେ ମାଂସ ପିଣ୍ଡୁଆ ହୋଇ ଯନ୍ତ୍ରଣା ଦେଉଛି । ନା ସେ ଭଲରେ ଖାଇ ପାରୁଛନ୍ତି, ନା ଶୋଇ ପାରୁଛନ୍ତି । ଅସହ୍ୟ ଯନ୍ତ୍ରଣା ଯୋଗୁଁ ଆଖୁରୁ ଲୁହ ସୁଖୁ ନାହିଁ କି ଦୁଃଖ ସରୁନି । ଗରୀବ ବାପା ପାଖରେ ଚିକିତ୍ସା ପାଇଁ ଟଙ୍କା ନଥିବାରୁ କାନ୍ଦି କାନ୍ଦି ସାହାଯ୍ୟର ଭିକ୍ଷା ମାଗିଛନ୍ତି ଅସହାୟ ଯୁବତୀ କବିତା ମାଝୀ ।
ଆଦିବାସୀ ଯୁବତୀ କବିତା ମାଝୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ବ୍ଲକ ଅନ୍ତର୍ଗତ ଶ୍ରୀମସ୍କା ଟିଟିରିପଡ଼ା ଗାଁର ଶୁକ୍ରୁ ମାଝୀଙ୍କ ୨୩ ବର୍ଷୀୟା ମଝିଆ ଝିଅ । ଛୋଟ ବେଳେ ପୁରା ଠିକଠାକ୍ ଥିଲେ କବିତା । ଗାଁ ନିକଟରେ ଥିବା ଗୋ କନ୍ୟାଶ୍ରମରେ ରହି ଭଲ ପାଠ ପଢୁଥିଲେ । କିନ୍ତୁ ମାଟ୍ରିକ ପରୀକ୍ଷା ଦେଇ ସାରିବା ପରେ ହଠାତ୍ ପିଠିର ଡାହାଣ ଭାଗରେ ଗୋଟିଏ ଛୋଟ ଆବୁ ହୋଇଥିଲା । ଯାହାକି ଧୀରେ ଧୀରେ ମାଂସ ପିଣ୍ଡୁଳା ଆକାର ନେଇ ଦିନକୁ ଦିନ ବଢ଼ି ଚାଲିଛି । ବର୍ତ୍ତମାନ କବିତାଙ୍କ ପକ୍ଷେ ବଞ୍ଚିବା କଷ୍ଟ ହୋଇପଡ଼ିଛି । ନା ସେ ଶୋଇ ପାରୁଛନ୍ତି, ନା ଖାଇ ପାରୁଛନ୍ତି, ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ବାପା ଶୁକ୍ରୁ ମାଝୀ ଜଣେ ଗରିବ ଆଦିବାସୀ । ଜଙ୍ଗଲରୁ କାଠ କାଟିଲେ ନହେଲେ ମୂଲ ଲାଗିଲେ ପରିବାର ଚଳେ । ନିଜେ ଦିନକୁ ଦି ଓଳି ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରୁଥିବା ବେଳେ ଝିଅର ରୋଗ ଭଲ କରିବାକୁ ଲକ୍ଷାଧିକ ଟଙ୍କା ବା ଆଣିବେ କୁଆଡୁ । ଝିଅର ଚିକିତ୍ସାରେ ଅର୍ଥ ଅଭାବ ଯୋଗୁଁ ଏବେ ଚିନ୍ତାରେ ପୁରା ପରିବାର ।
ଏହା ମଧ୍ୟ ପଢନ୍ତୁ: ବିଛଣାରେ ରୋଜଗାରିଆ ପୁଅ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ