ଭବାନୀପାଟଣା: ଗାଁ ରାଜନୀତି ପରେ ଏବେ ସରଗରମ୍ ହୋଇଛି ସହର ରାଜନୀତି । ପୌର ନିର୍ବାଚନକୁ ନେଇ କଳାହାଣ୍ଡିରେ ବଢୁଛି ରାଜନୈତିକ ଉଷ୍ଣତା । ନାମାଙ୍କନ ପତ୍ର ଯାଞ୍ଚ ପରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ବିଭିନ୍ନ ଦଳର ହେବିୱେଟ୍ । ପୌରଗଡ଼ ଦଖଲ ପାଇଁ ଏବେ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ । କଳାହାଣ୍ଡି ଜିଲ୍ଲାର ୩ଟି ଏନଏସି ଓ ଗୋଟିଏ ପୌର ପରିଷଦରେ ନିର୍ବାଚନ ହେବ । ନିଜ ପ୍ରତିନିଧି ବାଛିବେ ମତଦାତା । ଚଳିତ ଥର ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷରେ ଅଧ୍ୟକ୍ଷ ଅଧ୍ୟକ୍ଷା ନିର୍ବାଚନ ହେଉଥିବା ବେଳେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ।
ଜିଲ୍ଲାର ଭାବନୀପାଟଣା ପୌର ପରିଷଦରେ ଚଳିତ ଥର ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି । ଶାସକ ବିଜେଡି ଏଥର ଜିଲ୍ଲା ମିଶନ ଶକ୍ତି ସଭାପତି ସଂଯୁକ୍ତା ବେହରାଙ୍କୁ ଅଧ୍ୟକ୍ଷା ପଦବୀ ପାଇଁ ଟିକେଟ ଦେଇ ଖେଳିଛି ମିଶନ ଶକ୍ତି ଟ୍ରମ୍ପକାର୍ଡ । ପଞ୍ଚାୟତ ନିର୍ବାଚନରେ ବିଜେଡିର କ୍ଲିନ ସୁଇପ ପରେ ପୌରଗଡ଼ ଦଖଲ କରିବା ପାଇଁ ଆଶା ରଖିଛି ବିଜେଡି । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ରୋଜଗାରକ୍ଷମ ଭଳି ଯୋଜନାକୁ ନେଇ ଭୋଟରଙ୍କ ନିକଟକୁ ଯିବ ବିଜେଡି ।