ପାରମ୍ପରିକ ହଳିଆ ଗୀତ ଓ ଚାଷୀର ନିବିଡ଼ ସମ୍ପର୍କ, ପଂକ୍ତିରେ ଝଲସି ଉଠେ ଚଷାପୁଅ ଜୀବନର ଚିତ୍ର କଳାହାଣ୍ଡି: ବଦଳି ଯାଇଛି ଯୁଗ । ଆଉ ଯୁଗ ସହ ତାଳ ଦେଇ ବଦଳି ଯାଇଛି ଅନେକ କିଛି । ଆଧୁନିକତା ଆଡକୁ ମୁହାଁଇଛି ଅନେକ ପାରମ୍ପରିକ ପ୍ରଥା । ଏଥିରୁ ଚାଷ ବା ବାଦ ପଡନ୍ତା କିପରି ? ହଳ ଲଙ୍ଗଳ ବଦଳି ଏବେ ଟ୍ରାକ୍ଟର, ପାୱାର ଟିଲରରେ ପରିଣତ ହୋଇଛି । ଆଉ ଏହାରି ଭିତରେ କେଉଁଠି ପଥହରା ହୋଇ ହଜିଯାଇଛି ପଶ୍ଚିମ ଓଡ଼ିଶା ଚାଷୀର ହଳିଆ ଗୀତ । ପଶ୍ଚିମ ଓଡିଶାର ଚାଷୀଙ୍କ ପରମ୍ପରାର ଏକ ଅଂଶ ଏହି ହଳିଆଗୀତ । ତେବେ ଜିଲ୍ଲାରେ ଏହି ଗୀତକୁ ଏବେ ବି ଚାଷୀମାନେ ଜାବୁଡି ଧରିଛନ୍ତି ।
ବର୍ଷାର ପ୍ରଥମ ସ୍ପର୍ଶ ଯେତେବେଳେ ଧରଣୀକୁ ଛୁଏଁ ଚାଷୀ ଉତ୍ସାହିତ ହୋଇ ହଳଲଙ୍ଗଳ ଧରି ଚାଷ କରିବାକୁ ବିଲକୁ ବାହାରିଥାଏ । ଆଉ ହଳ କରିବା ସମୟରେ ତାର ମନରୁ ପରିପ୍ରକାଶ ହୋଇଥାଏ ହଳିଆ ଗୀତ । ଏହି ଗୀତକୁ ଗାଇ ଚାଷୀ ତାର ସବୁ ହୁଃଖ କଷ୍ଟକୁ ଭୁଲି ଯାଇଥାଏ । ଆଉ ଆଧୁନିକତାର କୋଳାହଳ ମଧ୍ୟରେ ନିଶବ୍ଦ ହୋଇଯାଇଛି ଚାଷୀ ମନରେ ଆଶା ସଞ୍ଚାର କରୁଥିବା ହଳିଆଗୀତ । ତେବେ ଏହି ହଳିଆ ଗୀତର ଅନେକ ରାଗ ଓ ଛନ୍ଦ ରହିଥିବା ଗବେଷକ କହୁଥିବା ବେଳେ ବର୍ତ୍ତମାନ ମଧ୍ୟ କଳାହାଣ୍ଡି ଜିଲ୍ଲାର ଚାଷୀ ଏହି ମହାନ ପରମ୍ପରାକୁ ଜାବୁଡି ଧରିଛନ୍ତି । ତେବେ ଚାଷ କାର୍ଯ୍ୟର ପ୍ରମୁଖ ଅଂଶ ହେଲା ପାହ୍ଲାରୁଆ ବା ତଳି ରୋପଣ । ଏହି ସମୟରେ ପାହ୍ଲା ରୁଆ ଗୀତ ସହିତ ହୁଳହୁଳି ଦେଇ ମହିଳାମାନେ ମାଟି ମାଆକୁ ଆବାହନ କରିଥାନ୍ତି ।
ଏହା ବି ପଢନ୍ତୁ- ବଦଳୁଛି ଚାଷର ତରିକା, ଶୁଣିବାକୁ ମିଳୁନି ହୁଳହୁଳି କି ହଳିଆ ଗୀତ
ଏନେଇ ଲୋକସଂସ୍କୃତି ଗବେଷକ ପରମେଶ୍ବର ମୁଣ୍ଡ କହିଛନ୍ତି, "ହଳିଆ ଗୀତ ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରେ । ଏହି ଗୀତ ମାଧ୍ୟମରେ ସେମାନେ ନିଜର ମନ କଥା, ସଂଘର୍ଷର କାହାଣୀ ବଖାଣିଥାନ୍ତି । ପଶ୍ଚିମ ଓଡ଼ିଶାର ଚାଷୀମାନେ ଯେତେବେଳେ ତଳି ରୋଇଥାନ୍ତି, ସେତେବେଳେ ସାମୁହିକ ଭାବେ ଏହି ଗୀତ ବୋଲିଥାନ୍ତି । ହେଲେ ଏବେ ଆଧୁନିକ ଯୁଗରେ ଏହା ବିଲୁପ୍ତ ପ୍ରାୟ । ମାତ୍ର ଏବେ ବି ବୟସ୍କ ବର୍ଗର ଚାଷୀମାନେ ହଳିଆ ଗୀତ ଗାଇ ଚାଷ କରୁଥିବାର ଦେଖିବାକୁ ମିଳେ । ଯାହାକି ଦେଖଣାହାରୀ ମନରେ ମଧ୍ୟ ସକରାତ୍କମ ଭାବନା ଭରିଦିଏ ।"
ଏହା ବି ପଢନ୍ତୁ- ସମୟ ସହିତ ହଜିଯାଇଛି ହଳିଆ ଗୀତ ଓ ପହ୍ଲାରୁଆ ଗୀତ
ଏସବୁ ପାରମ୍ପରିକ ଗୀତ ଆଧୁନିକ ଯୁଗରେ ବନ୍ଦ ହେବାକୁ ବସିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ଅଳ୍ପ କେତେକ ସ୍ଥାନରେ ଏହି ପରମ୍ପରା ଏବେ ବି ପ୍ରଚଳିତ । କେବଳ ଯେ କଳାହାଣ୍ଡି ଜିଲ୍ଲା ନୁହେଁ ବରଂ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଚାଷୀଙ୍କ ପାଇଁ ହଳିଆ ଗୀତର ବେଶ ମହତ୍ତ୍ବ ରହିଛି । କିନ୍ତୁ ଧିରେ ଧିରେ ଚାଷୀ ଗୀତର ସେହି ସ୍ବର ଆଉ ଶୁଣିବାକୁ ମିଳୁନାହିଁ । ହଳ ଲଙ୍ଗଳ ସାହାଯ୍ୟରେ ଚାଷ କାମ ମଧ୍ୟ କାଁ ଭାଁ କେଉଁଠି ଦେଖିବାକୁ ମିଳୁଛି । ସମୟ ବଦଳିବା ସହ ତା ସହିତ ଜଡିତ ଥିବା ସଂସ୍କୃତି ଓ ପରମ୍ପରା ମଧ୍ୟ ବଦଳିବାକୁ ଲାଗିଥିବାବେଳେ ଏଥିରୁ ବାଦ ପଡିନି ପଶ୍ଚିମ ଓଡ଼ିଶାର ଚାଷୀଙ୍କ ହଳିଆ ଗୀତ । ଆଜିର ଯୁଗରେ ଚାଷୀ ହଳିଆ ଗୀତକୁ ଭୁଲିଯାଇଥିଲେ ବି ଅନେକଙ୍କ ମନରେ ସେହି ହଳିଆଗୀତ ଏକ ଅଭୁଲା ସ୍ମୃତି ହୋଇ ରହିଛି ।
ଇଟିଭି ଭାରତ, କଳାହାଣ୍ଡି