ଭବାନୀପାଟଣା: ପନିପରିବା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଚାଷୀ । ଏପରିକି ତାଙ୍କ ସଫଳ ଚାଷକୁ ନେଇ ନିଜେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିଜ ଫେସବୁକ୍ରେ ପୃଷ୍ଠାରେ ପୋଷ୍ଟ କରିଛନ୍ତି । ଏହି ସଫଳ ଚାଷୀ ଜଣକ ହେଉଛନ୍ତି, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅଧିନ ଚାରଭାଟି ପଞ୍ଚାୟତ ଅନ୍ତର୍ଗତ କାଦୋପଦର ଗ୍ରାମର ଯୁଧିଷ୍ଠିର ମାଝୀ ।
ଯୁଧିଷ୍ଠିରଙ୍କର ୫ ଏକର ଚାଷ ଜମି ରହିଥିବା ବେଳେ ଖରା ଦିନରେ ସେଠାକୁ ପାଣି ଯାଇ ନପାରିବାରୁ ଶୁଖିଲା ପଡି ରହୁଥିଲା । ଏହାପରେ ସେ ଲୁଥେରାନ୍ସ ସଂସ୍ଥାର ସହାୟତା କ୍ରମେ ଏକ ବଡ କୂଅ ଖୋଳି ପନିପରିବା ଚାଷ ଆରମ୍ଭ କରିଥିଲେ । ପ୍ରଥମେ ସେ କମ ପରିମାଣର ପନିପରିବା ଚାଷ କରୁଥିଲେ । ତେବେ ସେଥିରେ ସେ ସଫଳ ହେବା ସହ ଅଧିକ ଉପାର୍ଜନ କରିବା ପରେ ତାଙ୍କ ମନୋବଳ ବଢିଥିଲା । ଏହାପରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ଆରମ୍ଭ କରିଥିଲେ ଯୁଧିଷ୍ଠିର । ଗତ କିଛିଦିନ ତଳେ ସେ ନିଜ ଚାଷ ଜମିରୁ ଟମାଟୋ, ବାଇଗଣ ଓ ଫୁଲକୋବି ଭଳି ସବୁଜ ପରିବା ଅମଳ କରି ଏହାକୁ ବଜାରରେ ବିକ୍ରି କରି ବେଶ ଲାଭ ପାଇଥିଲେ । ଏବେ ତାଙ୍କ ଚାଷ ଜମିରେ ପିଆଜ, ସୂର୍ଯ୍ୟମୁଖୀ, ଆଖୁ, କୁମୁଡା ଆଦି ଚାଷ କରିଛନ୍ତି ।