ଓଡିଶା

odisha

ETV Bharat / state

ଅମଳ ସମୟରେ ଦାଉସାଧିଲା ଚକଡା ପୋକ, ଚାଷୀକୁ ଘାରିଛି ଋଣ ଚିନ୍ତା

ଚକଡା ପୋକ ଦାଉରେ ଉଜୁଡି ଯିବାକୁ ବସିଛି ଧାନଚାଷ । ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇଥିବା ଚାଷୀଙ୍କ ପାଇଁ ଏବେ ଚକଡା ପୋକ ଚିନ୍ତା । ଏକର ଏକର ଧାନ ଗଛରେ ପୋକ ଚରିଯିବା ପରେ ଏବେ ଚିନ୍ତାରେ କଳାହାଣ୍ଡି ଜିଲ୍ଲାର ଚାଷୀ । ଦେଖନ୍ତୁ ଏହି ରିପୋର୍ଟ

By

Published : Nov 9, 2022, 5:42 PM IST

ଅମଳ ସମୟରେ ଦାଉସାଧିଲା ଚକଡା ପୋକ,  ଚାଷୀକୁ ଘାରିଛି ଋଣ ଚିନ୍ତା
ଅମଳ ସମୟରେ ଦାଉସାଧିଲା ଚକଡା ପୋକ, ଚାଷୀକୁ ଘାରିଛି ଋଣ ଚିନ୍ତା

ଭବାନୀପାଟଣା:କଥାରେ ଅଛି "ଚାଷ କାମ ଯାହାର, କେଡେ ସୁଖ ତାହାର । ଚଷା ପୁଅ ଯୋଗାଉଛି ଦୁନିଆକୁ ଆହାର" । ଅମଳ ସମୟରେ ଖିଲିଖିଲି ହସୁଥିବା ଧାନ କ୍ଷେତକୁ ଦେଖିଲେ ମନେ ପଡିଯାଏ ଏହି ଲୋକକଥା । କିନ୍ତୁ କଳାହାଣ୍ଡିରେ ବର୍ତ୍ତମାନର ସ୍ଥିତି ସମ୍ପୁର୍ଣ୍ଣ ଓଲଟା । କ୍ଷେତ ସାରା ଯୁଆଡେ ଆଖି ବୁଲାଇଲେ ଖାଲି ପୋକ । ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇଥିବା ଚାଷୀଙ୍କ ପାଇଁ ଏବେ ଚକଡା ପୋକ ଚିନ୍ତା । ଗତବର୍ଷ ଭଲ ଧାନ ହୋଇଥିବା ଯୋଗୁଁ କରଜ କରି ଟଙ୍କା ଆଣିଥିଲେ ଚାଷୀ । କିନ୍ତୁ ଅମଳ ସମୟରେ ଦାଉ ସାଧିଲା ରୋଗପୋକ । ଆଖି ଆଗରେ ସୁନାର ଫସଲ ନଷ୍ଟ ହେଉଥିବା ଦେଖି ଋଣ ପରିଶୋଧ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛନ୍ତି କଳହାଣ୍ଡି ଜିଲ୍ଲାର ଚାଷୀ । ବର୍ଷକ ପରିଶ୍ରମର ସୁନାର ଫସଲ ଉଜୁଡି ଯାଇଛି । ଆଉ ଏଥିପାଇଁ ଚାଷୀ ଏବେ ହତାଶ ଆଉ ନିରାଶ ।

ଅମଳ ସମୟରେ ଦାଉସାଧିଲା ଚକଡା ପୋକ, ଚାଷୀକୁ ଘାରିଛି ଋଣ ଚିନ୍ତା


କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଦଶା । ବର୍ଷା ଦାଉ ସାଧିବା ପରେ ବଞ୍ଚିଯାଇଥିବା ଫସଲ ଉପରେ ଏବେ ରୋଗ ପୋକଙ୍କ ପ୍ରାଦୁର୍ଭାବ ଫଳରେ ଜିଲ୍ଲାର ଶହ ଶହ ହେକ୍ଟର ଚାଷ ଜମିରେ ମାଟିଆଗୁଣ୍ଡି, କାଣ୍ଡ ବିନ୍ଧା, ପତ୍ରବିନ୍ଧା, BPH ଭଳି ରୋଗପୋକ ଲାଗି ଧାନ ଫସଲ ନଷ୍ଟ ହୋଇଛି । ଯାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଚାଷଜମିର ଏଭଳି ଅବସ୍ଥା ଦେଖି ଚାଷୀ ଅମଳ ଫସଲକୁ ମଧ୍ୟ ଏବେ ଜାଳି ଦେଉଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ: Patra Chawl land scam case: ସଞ୍ଜୟ ରାଉତଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ PMLA କୋର୍ଟ

ଏନେଇ କଳାହାଣ୍ଡି ଜିଲ୍ଲାର ଜଣେ ଚାଷୀ କହିଛନ୍ତି, "ଗତବର୍ଷ ପାଣି ଅଭାବ ଯୋଗୁଁ ଚାଷ ଭଲ ହୋଇନଥିଲା । ଚଳିତ ବର୍ଷ ଭଲ ଚାଷ ହେବ ବୋଲି ଭାବିଥିଲି । କିନ୍ତୁ ଚକଡା ପୋକ ଦାଉସାଧିଲା । ବହୁତ ଫସଲ ନଷ୍ଟ ହୋଇଯିବ । ଋଣ କରି ପଇସା ଜମିରେ ଲଗାଇଥିଲି । କିନ୍ତୁ ଏବେ ଚିନ୍ତା ଲାଗୁଛି କିଭଳି ଋଣ ପରିଶୋଧ କରିବି । ସରକାର ଯଦି କିଛି ସାହାଯ୍ୟ କରନ୍ତେ ତାହେଲେ ଆମେ ଉପକୃତ ହେବୁ ।"

ଜିଲ୍ଲାର ୧୩ ଗୋଟି ବ୍ଲକ ସମେତ ବିଶେଷ କରି ଧର୍ମଗଡ, ଜୁନାଗଡ, କଲମପୁର, ଭବାନୀପାଟଣା ଓ ଗୋଲାମୁଣ୍ଡାରେ ଦେଖାଦେଇଛି ଏଭଳି ସମସ୍ୟା । ଜମିରେ କୀଟନାଶକ ସିଞ୍ଚନ କଲେ ମଧ୍ୟ ପୋକ ମରୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ସରକାରୀ ଆକଳନ ହିସାବରେ ଜିଲ୍ଲାରେ ଚଳିତ ଖରିଫ ରୁତୁରେ ପ୍ରାୟ ୧ ଲକ୍ଷ ୮୭ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ଅନେକ ଅଞ୍ଚଳରେ ଚାଷଜମି ରୋଗପୋକ ଯୋଗୁଁ ପ୍ରଭାବିତ ହୋଇଛି ।

ଏନେଇ ଧର୍ମଗଡ ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି," ଚାଷୀଙ୍କ କହିବା ଅନୁସାରେ ଆମେ ମଧ୍ୟ ତଦାରଖ କରୁଛୁ । କିଛି ସ୍ଥାନରେ ମଧ୍ୟ ପୋକ ହଟାଇବା ପାଇଁ ପଦକ୍ଷେପ ନେଉଛୁ । ତେବେ ଏ ଦିଗରେ ତୁରନ୍ତ ସର୍ଭେ କରି ପଦକ୍ଷେପ ଗ୍ରହଣ କରିବୁ ।" ସେପଟେ ଚକଡା ପୋକ ଦାଉରୁ ଧାନଗଛକୁ ରକ୍ଷା କରିବା ପାଇଁ ଚାଷୀ ଯେତେ ଔଷଧ ପ୍ରୟୋଗ କଲେ ବି କିଛି ଲାଭ ହେଉନାହିଁ । ଋଣ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଭଳି ସ୍ଥିତିରେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details