ଓଡିଶା

odisha

ETV Bharat / state

ଜୁନାଗଡ-ଧର୍ମଗଡ ରେଳଲାଇନ ସମ୍ପ୍ରସାରଣ ସାତସପନ, ପାଣିର ଗାର ପାଲଟିଛି ସାଂସଦଙ୍କ ପ୍ରତିଶୃତି - ରେଳଲାଇନ ସମ୍ପ୍ରସାରଣ କାମ

ଜୁନାଗଡ-ଧର୍ମଗଡ ରେଳଲାଇନ ସମ୍ପ୍ରସାରଣ କାମ ନେଇ କେବଳ ମିଛ ପ୍ରତିଶ୍ରୁତି ମିଳୁଛି । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି ହେଲେ କାର୍ଯ୍ୟଘର ଶୂନ । ଏ ନେଇ ଜିଲ୍ଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଜୁନାଗଡ଼ ଧର୍ମଗଡ଼ ରେଳଲାଇନ ସମ୍ପ୍ରସାରଣ
Junagadh Dharmgarh Railway expansion work delay

By

Published : Feb 10, 2023, 4:57 PM IST

ଜୁନାଗଡ-ଧର୍ମଗଡ ରେଳଲାଇନ ସମ୍ପ୍ରସାରଣ ସାତସପନ

କଳାହାଣ୍ଡି:ଜିଲ୍ଲାବାସୀଙ୍କୁ କେବଳ ନିରାଶ ହେବାକୁ ପଡୁଛି । ପ୍ରତିଶ୍ରୁତି ତ ମିଳୁଛି ହେଲେ ତାହା କାମରେ ପୂରଣ ହେଉନାହିଁ । ଏଥର ରେଳ ବଜେଟ ମଧ୍ୟ ଜିଲ୍ଲାବାସୀଙ୍କୁ ପୁଣି ନିରାଶ କରିଛି । ଜୁନାଗଡ଼-ଧର୍ମଗଡ଼ ରେଳଲାଇନ ସମ୍ପ୍ରସାରଣ ନେଇ ମଞ୍ଜୁର ହୋଇଥିବା ୨ କୋଟି ୯୫ ଲକ୍ଷ ଟଙ୍କା କାହା ଖାତାରେ ଜମା ହୋଇଛି ? ସତରେ ମଞ୍ଜୁର ହୋଇଛି ନା ଧର୍ମଗଡ଼ବାସୀଙ୍କ ପ୍ରତି ସାଂସଦ ବସନ୍ତ ପଣ୍ଡା ‘ଜୁମଲା’ ଦେଖାଇଲେ ତାହାକୁ ନେଇ ସହରରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି । ୨୦୧୪ ନିର୍ବାଚନ ସମୟରେ ରାଜନୈତିକ ଶବ୍ଦ କୋଷରେ ଏହି ‘ଜୁମଲା' ଶବ୍ଦ ଶୁଣିବାକୁ ମିଳିଥିଲା । ବିଜେପିକୁ ପ୍ରତିରୋଧ କରିବାକୁ ତା'ର ପ୍ରତିଦ୍ବନ୍ଦ୍ବ ଦଳ ବୁ ଏହି ଶବ୍ଦର ବହୁଳ ବ୍ୟବହାର ରାଜନୈତିକ ଦଳ କେଉଁ ଉଦ୍ଦେଶ୍ୟରେ ଏହି ଶବ୍ଦର ବ୍ୟବହାର କରୁଥିଲେ ତାହା ସେମାନଙ୍କୁ ଜଣା କିନ୍ତୁ ଧର୍ମଗଡ଼ରେ ଏହି ‘ଜୁମଲା' ଶବ୍ଦର ସିଧାସଳଖ ପ୍ରତିଫଳନ ଦେଖିବାକୁ ମିଳିଛି ।

ଚଳିତ ରେଳ ବଜେଟ ଏହାର ଏକ ଜ୍ଵଳନ୍ତ ଉଦାହରଣ । ଜୁନାଗଡ଼-ଧର୍ମଗଡ ରେଳ ଲାଇନ ସମ୍ପ୍ରସାରଣ ପାଇଁ ସାଂସଦଙ୍କ ଦ୍ଵାରା ଘୋଷିତ 2 କୋଟି 95 ଲକ୍ଷ ଟଙ୍କା କାହା ଖାତାରେ ଜମା ହୋଇଛି ବୋଲି ଧର୍ମଗଡରେ ଚର୍ଚ୍ଚା ହେଉଛି । ତେବେ ସତରେ ରେଳ ସମ୍ପ୍ରସାରଣ ପାଇଁ ଏହି ଟଙ୍କା ମଞ୍ଜୁର ହୋଇଛି ନା ସାଂସଦ ବସନ୍ତ ପଣ୍ଡା ଲୋକଙ୍କୁ ମିଛ ପ୍ରତିଶୃତି ଦେଇଛନ୍ତି ଏହା ଏବେ ପ୍ରଶ୍ନ ହୋଇଛି । ସୂଚନା ଅନୁସାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଧର୍ମଗଡ଼ରେ ଗତ ୨୦୨୧ ଡିସେମ୍ବର ଶେଷରେ ଏକ ପ୍ରେସମିଟ କରି ଜୁନାଗଡ଼-ଧର୍ମଗଡ଼ ରେଳଲାଇନ ସଂପ୍ରସାରଣ ସର୍ଭେ ଓ ସାଇଡ ସିଲେକ୍ସନ ପାଇଁ ରେଳ ମନ୍ତ୍ରଣାଳୟ ୨ କୋଟି ୯୫ ଲକ୍ଷ ମଞ୍ଜୁର ହୋଇଥିବା ସୂଚନା ପ୍ରଦାନ କରିଥିଲେ । ସାଂସଦଙ୍କ ପ୍ରେସମିଟ୍‌କୁ ଇତି ମଧ୍ୟରେ ଅନେକ ଦିନ ବିତିଗଲାଣି । ଏହା ଭିତରେ ଦୁଇ ଦୁଇଟି ବଜେଟ ପାରିତ ହୋଇ ସାରିଲାଣି । କିନ୍ତୁ ଜୁନାଗଡ଼-ଧର୍ମଗଡ଼ ରେଳଲାଇନ ସମ୍ପ୍ରସାରଣ ପାଇଁ ଅର୍ଥ ମଞ୍ଜୁର ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଚଳିତ ବଜେଟ୍‌ରେ ଏନେଇ କିଛି ବ୍ୟବସ୍ଥା ହେବ ବୋଲି ଧର୍ମଗଡ଼ବାସୀ ଆଶା ବାନ୍ଧିଥିଲେ । କିନ୍ତୁ ଚଳିତ ବଜେଟ ମଧ୍ୟରେ ଧର୍ମଗଡ଼ବାସୀଙ୍କୁ ନିରାଶ କରିିଛି ।

ରେଳ ଲାଇନ ସମ୍ପ୍ରସାରଣ ପାଇଁ ଅନେକ ଦିନ ହେବ ଦାବି ହୋଇ ଆସୁଛି । ୨୦୨୧ ଅଗଷ୍ଟରେ ବିଜେପି ଦ୍ଵାରା ଆୟୋଜିତ ଜନ ଆର୍ଶୀବାଦ ଯାତ୍ରା ସମୟରେ ଜୁନାଗଡ଼ଠାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଏନେଇ ସହରବାସୀଙ୍କ ତରଫରୁ ଦାବି ଉପସ୍ଥାପନ କରାଯାଇଥିଲା । ପ୍ରତିଶ୍ରୁତି ନହେଲେ ବି ମାଁ ମାଣିକେଶ୍ୱରୀଙ୍କ ଆର୍ଶୀବାଦ ହେଲେ ଦାବି ନିଶ୍ଚୟ ପୂରଣ ହେବ ବୋଲି କହିଥିଲେ ରେଳମନ୍ତ୍ରୀ । ଏହାର କିଛି ମାସ କଳାହାଣ୍ଡି ସାଂସଦ ଏନେଇ ଧର୍ମଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରେଳ ବିଭାଗ ଏଥିପାଇଁ ୨ କୋଟି ୯୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଲେ । ଜଣେ ଶାସକ ଦଳର ସାଂସଦ ପ୍ରେସମିଟ୍‌ କରି ସୂଚନା ଦେବା ପରେ ରେଳ ଲାଇନ ସମ୍ପ୍ରସାରଣ ହେବା ନେଇ ସହରବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିଲା । ହେଲେ ଆଶା ଆଶାରେ ରହିିଛି । ଚଳିତ ବଜେଟ ସମସ୍ତଙ୍କୁ ଜଳକା କରିଛି । ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ମିଳିଥିବା ବେଳେ ଏଥିରେ କଳାହାଣ୍ଡି ପାଇଁ କିଛି ନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେବେ ଏ ସମ୍ପର୍କରେ ସାଂସଦଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details