ଭବାନୀପାଟଣା: ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ 20 ବର୍ଷ କାରାଦଣ୍ଡ ନିର୍ଦ୍ଦେଶ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋସ୍କୋ ସ୍ଵତନ୍ତ୍ର କୋର୍ଟ ନାବାଳିକା ଦୁଷ୍କର୍ମ ଘଟଣାର ଶୁଣାଣୀ କରି ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ 22 ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆହୁରି 1 ବର୍ଷ 1 ମାସ ସଶ୍ରମ କାରାଦଣ୍ଡ ପାଇଁ ଆଦେଶଦେଇଛନ୍ତି । ପୀଡ଼ିତା ନାବାଳିକାଙ୍କୁ ସରକାରଙ୍କ ତରଫରୁ 6 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିଭଳି ସେସନ କୋର୍ଟରେ ଏକ ହତ୍ୟାକାଣ୍ଡର ଶୁଣାଣୀ ହୋଇଛି । ଆସାମୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେବା ସହ 20 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସରକାରୀ ଓକିଲଙ୍କ ସୂଚନା ଅନୁଯାୟୀ 2018 ଜୁନ 11 ତାରିଖରେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ମାଲିଯୁବାଙ୍ଗ ଗାଁର ରୋହିଦାସ ହରିଜନ ସେହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ବିଜେପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ କରିଥିଲା ପୋଲିସ । ପରେ ଅଭିଯୁକ୍ତ ରୋହିଦାସକୁ ଗିରଫ କରି କୋର୍ଟଚାଲାଣ କରିଥିଲା ବିଜେପୁର ଥାନା ପୋଲିସ । ଆଜି ଏହି ମାମଲାର ଶୁଣାଣି ଭବାନୀପାଟଣା ପୋକ୍ସୋ କୋର୍ଟରେ ହୋଇଥିଲା । ସ୍ବତନ୍ତ୍ର ଜଜ୍ ଶୁଭରଞ୍ଜନ ମହାନ୍ତି 19 ଜଣ ସାକ୍ଷ୍ୟଙ୍କ ବୟାନ ଓ ପ୍ରମାଣକୁ ଆଧାରକରି ଅଭିଯୁକ୍ତ ରୋହିଦାସ ହରିଜନକୁ ଦୋଷୀ ସାବ୍ୟସ୍ତ କରିବା ସହ 20 ବର୍ଷ ସଶ୍ରମ କାରାଦଣ୍ଡ ଓ 22 ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି 1 ବର୍ଷ 1 ମାସ ସଶ୍ରମ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ଏହା ସହିତ ପୀଡ଼ିତା ନାବାଳିକାଙ୍କୁ ସରକାରଙ୍କ ତରଫରୁ 6 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ସରକାରୀ ଓକିଲ ରୋହିତ ମିଶ୍ର ।