ଭବାନୀପାଟଣା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କେନ୍ଦ୍ର ସରାକାରଙ୍କ ବିରୋଧରେ ସାରା ଦେଶରେ ରାଜରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବସିଛନ୍ତି ଦଳୀୟ କର୍ମୀ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି । କେନ୍ଦ୍ର ସରକାର ମନମୁଖୀ ଶାସନ କରି ନିଜ ବିରୋଧୀଙ୍କୁ ହଇରାଣ କରିବାକୁ ଏପରି କାର୍ଯ୍ୟ କରିଥିବା କଂଗ୍ରେସ ଅଭିଯୋଗ କରିଛି ।
ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ସାରା ଦେଶରେ କଂଗ୍ରେସ ଆକ୍ରମଣାତ୍ମକ ପନ୍ଥା ଆପଣାଇ କେନ୍ଦ୍ର ସରକାରଙ୍କ ବିରୋଧରେ ସତ୍ୟାଗ୍ରହ କରୁଛି । ଏନେଇ କଂଗ୍ରେସ ଅଭିଯୋଗ କରିଛି ଯେ, ଯେତେବେଳେ କୋର୍ଟ ୩୦ ଦିନ ପାଇଁ ନୋଟିସ ପିରିୟଡ ରଖିଛନ୍ତି, ଏହି ସମୟ ମଧ୍ୟରେ ରାହୁଲଙ୍କୁ ମିଳିଥିବା ଦଣ୍ଡାଦେଶକୁ ଖାରଜ ମଧ୍ୟ କରିପାରନ୍ତି । ତେବେ ଏହାରି ମଧ୍ୟରେ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରି ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରାଇଛନ୍ତି । ଏହା ଏକ ନିନ୍ଦନୀୟ କାର୍ଯ୍ୟ ବୋଲି କଂଗ୍ରେସ ଅବିଯୋଗ କରିଛି । ତେବେ ଲୋକସଭା ସଚିବାଳୟ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ ବୋଲି କଂଗ୍ରେସ ଅଭିଯୋଗ ବାଢ଼ିଛି । ଏଥିପାଇଁ ରାଷ୍ଟ୍ରପତି, ନିର୍ବାଚନ ଆୟୋଗଙ୍କ ପରାମର୍ଶ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ତେବେ ଏହି ପରିପ୍ରେକ୍ଷୀରେ କିଭଳି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ତୁରନ୍ତ ଖାରଜ କରିଛନ୍ତି ଲୋକସଭା ସଚିବାଳୟ ତାହା ଏକ ପ୍ରଶ୍ନବାଚୀ । ଗଣତାନ୍ତ୍ରିକ ରାଷ୍ଟ୍ରରେ କେନ୍ଦ୍ର ସରକାର ଏଭଳି ଏକଛତ୍ରବାଦୀ ଶାସନ କାହିଁକି କରୁଛନ୍ତି ତାହାକୁ ନେଇ ପ୍ରଶ୍ନ କରିଛି କଳାହାଣ୍ଡି ଜିଲ୍ଲା କଂଗ୍ରେସ ।