ଓଡିଶା

odisha

ETV Bharat / state

ପଛୁଆ ଅଞ୍ଚଳର ଆଗୁଆ ଝିଅ ଫୁଲମେ ମାଝି - phulme majhi example for all woman

ଘର କାମଠୁ ଆରମ୍ଭ କରି ଫାଇଟର୍ ପ୍ଲେନ୍ ଉଡାଇବା, ସବୁ କାମରେ ପୁରୁଷଙ୍କଠୁ କୌଣସି ଗୁଣରେ କମ ନୁହେଁ ଆଜିର ନାରୀ। ତମାମ ବାଧା ବିଘ୍ନ ମଧ୍ୟରେ ନିଜକୁ ପ୍ରତିଷ୍ଠା କରି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କଳାହାଣ୍ଡିର ଆଦିବାସୀ ମହିଳା ଫୁଲମେ ମାଝି, ଆଜି ସେ ଖାଲି ଜିଲ୍ଲା ନୁହେଁ, ସମଗ୍ର ଦେଶରେ ମହିଳାଙ୍କ ଅଧିକାର ପାଇଁ ଲଢୁଥିବା ପପୁଲାର ଫେସ୍।। ଅଧିକ ଖବର ପଢନ୍ତୁ...

ପଛୁଆ ଅଞ୍ଚଳର ଆଗୁଆ ଝିଅ ଫୁଲମେ ମାଝି

By

Published : Nov 20, 2019, 12:23 PM IST

କଳାହାଣ୍ଡି: ଓଡିଶାର ଏକ ପଛୁଆ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲା। ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ ପରିବେଷ୍ଟିତ ଏହି ଜିଲ୍ଲାରେ ଅବସ୍ଥିତ ଥିବା ଲାଞ୍ଜିଗଡ଼ ବ୍ଲକ। ଯେଉଁ ଅଞ୍ଚଳରେ ନାରୀ ଅଶିକ୍ଷିତ, ନିଜ ଅଧିକାରରୁ ସଦା ବଞ୍ଚିତ। ଅବହେଳିତ ଓ ପ୍ରତାଡ଼ିତ ନାରୀଙ୍କ ସଂଖ୍ୟା ଯେଉଁଠି ସବୁଠୁଁ ଅଧିକ, ସେଭଳି ଏକ ଦୁର୍ଗମ ଅଞ୍ଚଳରେ ତାଙ୍କର ଜନ୍ମ। ମହିଳାଙ୍କ ସ୍ବର ତ ଦୂରର କଥା, ଯେଉଁଠି ସାଧାରଣ ଲୋକଙ୍କ ସ୍ବର ବାହାରକୁ ଶୁଭେନାହିଁ, ସେମିତି ଏକ ଅଖ୍ୟାତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ମହିଳାଙ୍କ ପାଇଁ ସଂଘର୍ଷ ଜାରି ରଖିବା ସହିତ ସେମାନଙ୍କର ଅଧିକାରକୁ ସୁରକ୍ଷା କରିବା ଦିଗରେ ଅହରହ ଉଦ୍ୟମ ଜାରି ରଖିଥିବା ମହିଳା ଜଣକ ହେଉଛନ୍ତି ଫୁଲମେ ମାଝୀ। ଅତି କମ୍ ବୟସରୁ ନିଜ ପରିବାରର ଦୁର୍ଦ୍ଦଶା ଦେଖି ଶିକ୍ଷା ଓ ସଚେତନତାର ପଥରେ ପଥିକ ହୋଇ ଫୁଲମେ ଆଜି ସମଗ୍ର ନାରୀ ସମାଜ ପାଇଁ ଆଦର୍ଶ ସାଜିଛନ୍ତି।

ଗତ କେଇ ଦଶନ୍ଧୀ ତଳେ ଲାଞ୍ଜିଗଡ଼ ବ୍ଲକରେ ଯେତେବେଳେ ଲୋକେ ମହିଳା ଶିକ୍ଷାକୁ ନାକ ଟେକୁଥିଲେ। ସେତେବେଳେ ନିଜସ୍ବ ଉଦ୍ୟମରେ ପାଠପଢି ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିନେଇଥିଲେ ଫୁଲମେ। ଗୋଟିକ ପରେ ଗୋଟିଏ ସାମାଜିକ ଆନ୍ଦୋଳନରେ ସାମିଲ ହୋଇ ସେ ଆଦିବାସୀ ମହିଳା ସମାଜରେ ନିଜକୁ ସାବ୍ୟସ୍ତ କରିଥିଲେ।


ଦୀର୍ଘ କାଳ ସମାଜସେବା ପରେ ନିଜର ଏକ ସ୍ବେଚ୍ଛାସେବୀ ସଂସ୍ଥା ଗଠନ କରି ଏହାରି ମାଧ୍ୟମରେ କେବଳ ଲାଞ୍ଜିଗଡ଼ ନୁହେଁ ସମଗ୍ର କଳାହାଣ୍ଡି ଜିଲ୍ଲାର ପଞ୍ଚାୟତସ୍ତରୀୟ ପ୍ରତିନିଧିଙ୍କୁ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ତାଲିମ ଦେଇ ଆସୁଛନ୍ତି। ନିଜର ଉଲ୍ଲେଖନୀୟ ସମାଜସେବା ପାଇଁ ସେ ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିବାବେଳେ ନେହେରୁ ଯୁବକେନ୍ଦ୍ର ଦ୍ବାରା ଯୁବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ପଛୁଆ ଅଞ୍ଚଳର ଆଗୁଆ ଝିଅ ଫୁଲମେ ମାଝି

ଜଣେ ଜନପ୍ରିୟ ନାରୀନେତ୍ରୀ ଭାବେ ସେ ନିଜ ପଞ୍ଚାୟତ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ସାମାଜିକ ସଚେତନତା, ମଦ ବିରୋଧୀ ଆନ୍ଦୋଳନ ଓ ମହିଳା ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ବହୁ ପୁରସ୍କାରର ଅଧିକାରୀଣି ଫୁଲେମ। ସମାଜସେବା ପାଇଁ ତାଙ୍କୁ ଜଣେ ମାଷ୍ଟର ଟ୍ରେନର ଭାବେ ସାରା ଦେଶ ଭ୍ରମଣ କରିବାର ସୁଯୋଗ ମିଳିଥିଲା। ଖାଲି ସେତିକି ନୁହେଁ ସାମାଜିକ ଓ ପରିବେଶ ଆନ୍ଦୋଳନ ଦିଗରେ ଉକ୍ରୃଷ୍ଟ ଯୋଗଦାନ ପାଇଁ ଲଣ୍ଡନ ଭଳି ବିଦେଶ ଯାତ୍ରାର ମଉକା ମିଳିଛି।

ତେବେ ଅତି ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିବା ଫୁଲମେ ଜନସେବା ଭିତରେ ନିଜ କଥା ଭାବିବାକୁ ସତେ ଯେମିତି ପାଶୋରି ଯାଇଛନ୍ତି। ଆଦିବାସୀ ଓ ଦଳିତଙ୍କ ପାଇଁ ସାରା ଜୀବନ ଉତ୍ସଗ କରି ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସେ। ତେବେ ସଚେତନତାର ପଥରେ ପଥିକ ଥିବା ଫୁଲେମ ସମଗ୍ର ନାରୀ ସମାଜ ପାଇଁ ଏକ ମିସାଲ ସଦୃଶ।

କଳାହାଣ୍ଡିରୁ ଅଜିତ୍ ସିଂ,ଇଟିଭି ଭାରତ

ABOUT THE AUTHOR

...view details