ଭବାନୀପାଟଣା:ସ୍ବଚ୍ଛତା ଯୋଗୁଁ ସ୍ୱଚ୍ଛ ଭାରତ ପୁରସ୍କାର ପାଇଥିଲା ଜୁନାଗଡ଼ ଏନଏସି । ଏବେ କିନ୍ତୁ ଅସ୍ବଚ୍ଛ କାମ ଯୋଗୁଁ ନିନ୍ଦିତ ହେଉଛି । ଡ଼ମ୍ପିଂୟାର୍ଡ ବଦଳରେ ମୁଖ୍ୟ ରାସ୍ତାରେ ଅଳିଆ ଆବର୍ଜନା ପକାଉଥିବାରୁ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏନଏସି କର୍ମଚାରୀମାନେ ସହରର ମଇଳାକୁ ନେଇ କଲମପୁର ଯିବା ରାସ୍ତା ଭତ୍ରାଜୋର ନିକଟ ମୁଖ୍ୟ ରାସ୍ତାରେ ପକାଇ ଦେଉଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ । ଅନ୍ୟପକ୍ଷରେ ଅଳିଆ ଆବର୍ଜନା ଭତ୍ରାଜୋରରେ ପଡୁଥିବାରୁ ଜଳବାୟୁ ଦୂଷିତ ହେଉଥିବା ଅଭିଯୋଗ ହୋଇଛି । ଭତ୍ରାଜୋର ମୁଖ୍ୟ ରାସ୍ତା ଏବେ ଏନଏସି ପାଇଁ ପାଲଟିଛି ଅଳଆ ଗଦା ।
ଜୁନାଗଡ଼ ଏନଏସି ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏଠାରେ ବସବାସ କରନ୍ତି । ସହରକୁ ସ୍ୱଚ୍ଛ ରଖିବା ପାଇଁ ଏନଏସି ପକ୍ଷରୁ ପ୍ରତିଦିନ ସମସ୍ତ ୱାର୍ଡକୁ ସଫାସୁତରା କରାଯାଏ । ଏହି ସ୍ୱଚ୍ଛତା ପାଇଁ ଚଳିତ ବର୍ଷ ସାରା ଭାରତ ବର୍ଷରେ ଏକ ନମ୍ବର ହୋଇ ସ୍ୱଚ୍ଛଭାରତ ପୁରସ୍କାର ମଧ୍ୟ ଜୁନାଗଡ଼ ଏନଏସି ହାସଲ କରିଛି । ହେଲେ ଅଳିଆ ସଫା ପରେ ଟ୍ରାକ୍ଟରରେ ନେଇ ଭତ୍ରାଜୋର ନିକଟ ମୁଖ୍ୟ ରାସ୍ତାରେ ଫିଙ୍ଗିଦେଇ ଚାଲି ଆସୁଛନ୍ତି । ଏହି ରାସ୍ତା ଦେଇ, କଲମପୁର, ଥୁଆମୂଳ ରାମପୁର ବ୍ଲକ ଓ ଜୁନାଗଡ଼ ବ୍ଲକର ୧୩ଟି ପାଞ୍ଚୟତର ଲୋକେ ପ୍ରତିଦିନ ଯାଆ ଆସ କରୁଥିବା ବେଳେ ଏବେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ।