ଭବାନୀପାଟଣା:ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କଳାହାଣ୍ଡି । ଅନେକ ନଦୀ ନାଳ ଝରଣାକୁ ନେଇ ପରିଚିତ ଏହି ଆଦବାସୀ ଅଧ୍ୟୁଷିତ ଜିଲ୍ଲାରେ ଭରି ରହିଛି ଖଣିଜ ସମ୍ପଦ । ଆଉ ଏହି ଖଣିଜ ସମ୍ପଦ ଉପରେ ପଡିଛି ଏବେ ବହୁ ରାଷ୍ଟ୍ରୀୟ କମ୍ପାନୀ ମାନଙ୍କର ନଜର । ଗତ ୨୬ ତାରିଖ ଦିନ ସାଇନିଂ କଳାହାଣ୍ଡି ପକ୍ଷରୁ ବେଦାନ୍ତ କମ୍ପାନୀ ସହ ବିଭିନ୍ନ କମ୍ପାନୀକୁ ଖଣି ଲିଜ ଦେବା ଦାବିରେ ଜନ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଏହାକୁ ନେଇ ଜିଲ୍ଲାରେ ବିରୋଧର ସ୍ବର ଦେଖିବାକୁ ମିଳିଛି । ଏହାକୁ ବିରୋଧ କରି ଗତକାଲି ଜନ ଜାଗରଣ ମଞ୍ଚ ପକ୍ଷରୁ ଭବାନୀପାଟଣା ଗାନ୍ଧୀ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ । କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିଜମା ରାଜ୍ୟ ସରକାର ଯୋଗାଇ ଦେଲେ ହେଲେ ଖଣି ଖନନ ପାଇଁ ନିୟମଗିରି ଉପରେ ନଜର ପକାଇଥିଲା ବେଦାନ୍ତ କମ୍ପାନୀ । ଏନେଇ ସେହି ସମୟରେ କମ୍ପାନୀକୁ ନିରାଶ ହେବାକୁ ପଡିଥିଲା । କାରଣ ନିୟମଗିରି ପାହାଡ଼ରେ ବସବାସ କରିଥିବା ୧୨ ପଦର ଅଧିବାସୀ ନିୟମଗିରିକୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ ।
ନିୟମଗିରି ସୁରକ୍ଷା ସମିତି ଆନ୍ଦୋଳନ ପୂର୍ବକ ଜାତୀୟ ଗ୍ରୀନ ଟ୍ୟୁବନାଲର ଦ୍ବାରସ୍ଥ ହୋଇଥିଲା । ଆଉ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିୟମଗିରି ସୁରକ୍ଷା ସମିତିର ସପକ୍ଷରେ ଯାଇ ଖଣି ଖନନ ଆବେଦନକୁ ରଦ୍ଦ କରିବା ସହ ନିୟମଗିରିରେ ଖଣି ଖନନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିଲେ । ଏବେ ବେଦାନ୍ତର ନଜର ଜିଲ୍ଲାର ଅନ୍ୟ ବକ୍ସାଇଟ ଖଣି ଉପରେ ପଡିଛି । ଗୋଟିଏ ପଟେ ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ବିକାଶ ହେବ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖୁଥିବା ବେଳେ ସେହି ପାହାଡ଼ରେ ଉପରେ ବସବାସ କରୁଥିବା ଅଧିବାସୀ ଏହାକୁ ବିରୋଧ କରିବାକୁ ଲାଗିଲେଣି ।