ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ୪୧ ହଜାର କ୍ଵିଣ୍ଟାଲ ଧାନ କିଣା ଯିବା ପାଇଁ ଟାର୍ଗେଟ ଆସିଛି । ଏ ପର୍ଯ୍ୟନ୍ତ ୨୨୦ଟି ଧାନ ମଣ୍ଡି ମଧ୍ୟରୁ ମାତ୍ର ୧୯୬ଟି ମଣ୍ଡିରେ ପ୍ରାୟ ୩୫ ଲକ୍ଷ କ୍ଵିଣ୍ଟାଲରୁ ଅଧିକ ଧାନ କିଣା ଯାଇଛି । ଧାନ କିଣା ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ଅମଳ ହୋଇଥିବା ଧାନକୁ ଚାଷୀ ବାଧ୍ୟ ହୋଇ ଆଧା ରେଟ୍ରେ ଦଲାଲ ହାତକୁ ଟେକି ଦେଉଛନ୍ତି । ସେହିପରି ଧର୍ମଗଡ଼ ବ୍ଲକ ଅଞ୍ଚଳରୁ ଛତିଶଗଡ଼କୁ ଚାଲାଣ ହେଉଥିବା ୨ଟି ଧାନ ଗାଡ଼ିକୁ ସ୍ଵତନ୍ତ୍ର ସ୍କ୍ୱାର୍ଡ ଜବତ କରିଛି ।
ଦଲାଲମାନେ କମ୍ ଦରରେ ଧାନ କିଣି ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଚାଲାଣ କରୁଛନ୍ତି । ଚଳିତ ବର୍ଷ ଖରିଫ ଧାନ ବିକ୍ରି ନିମନ୍ତେ ୭୯୪୭ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ୪୧ ହଜାର କ୍ଵିଣ୍ଟାଲ ଟାର୍ଗେଟ ଆସିଛି । ଏଥିପାଇଁ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରେ ୨୨୦ଟି ଧାନ କ୍ରୟ କେନ୍ଦ୍ର ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୯୬ କ୍ରୟ କେନ୍ଦ୍ର ଖୋଲିଛି । ୭୮ ଜଣ ମିଲର୍ସଙ୍କ ମଧ୍ୟରୁ ୭୫ ଜଣ ମିଲର୍ସ ଏ ପର୍ଯ୍ୟନ୍ତ ଚୁକ୍ତି କରି ସାରିଲେଣି । ଅଥଚ ଆଜି ଯାଏଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମଣ୍ଡି ପାଇଁ ମିଲର୍ସ ଟ୍ୟାଗିଂ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇନାହିଁ । ଧାନ ଅମଳ ପରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀମାନେ କମ୍ ଦରରେ ଦଲାଲକୁ ଧାନ ବିକ୍ରି କରୁଛନ୍ତି ।
ସେପଟେ ଦଲାଲମାନେ ଏହି ଧାନ କିଣି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଆରମ୍ଭ ହୋଇଥିବା ମଣ୍ଡିକୁ ଚାଲାଣ କରୁଛନ୍ତି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ଝାକରପଡ଼ା ରାସ୍ତା, ତୁମେରଗୁଡ଼ା ପଞ୍ଚାୟତର କୋଟମେର ବିକାଜାଳି ରାସ୍ତା, ପର୍ଲା ପଞ୍ଚାୟତର ସେମଳା ଓ ଗୋଲାମୁଣ୍ଡା ବ୍ଲକ୍ର ତୁମରା ରାସ୍ତା ଦେଇ କଳାହାଣ୍ଡି ଧାନ ଦଲାଲ ଜରିଆରେ ଛତିଶଗଡ଼ ଯାଉଛି । ଜିଲ୍ଲାର ତୁମରା, ପର୍ଲା, ପାଇକପଡ଼ା, ସନ୍ଧିଜୁଲିହାରୀ, ହଳଦୀ ପ୍ରମୁଖ ଆର୍ଏମ୍ସି ଚେକ୍ଗେଟ୍ଗୁଡ଼ିକୁ ଉଠାଇ ଦିଆଯାଇଥିବା କାରଣରୁ ଦଲାଲମାନେ ଅନାୟସରେ ଛତିଶଗଡ଼ ଧାନ ଚାଲାଣ କରୁଛନ୍ତି । ଜିଲ୍ଲାର ଧର୍ମଗଡ଼ ବ୍ଲକ ଅଞ୍ଚଳରୁ ଛତିଶଗଡ଼କୁ ଚାଲାଣ ହେଉଥିବା ୨ଟି ଧାନଗାଡ଼ିକୁ ସ୍ଵତନ୍ତ୍ର ସ୍କ୍ୱାର୍ଡ ଜବତ କରିଛି । ଉଭୟ ଗାଡ଼ିରେ ଥିବା ମୋଟ ୫୦ କ୍ଵିଣ୍ଟାଲ ଧାନ ମଧ୍ୟ ଜବତ କରାଯାଇଛି ।