ଭବାନୀପାଟଣା:କଳାହାଣ୍ଡିରେ ତିଆରି ହୋଇ ଛତିଶଗଡକୁ ହେଉଥିଲା ବନ୍ଧୁକ ଚାଲାଣ । ଜିଲ୍ଲାର ମଙ୍ଗଳପୁର ଗାଁରେ ଚଢାଉ କଲା ଛତିଶଗଡ ଏସଟିଏଫ । ୨୫ ଜଣଙ୍କ ଘରେ ଚଢାଉ ହୋଇଥିବା ବେଳେ ୫ ଜଣଙ୍କୁ ଅଟକ ରଖି ଭବାନୀପାଟଣା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଚାରା ଉଚୁରା ପରେ ଛତିଶଗଡ ନେଇଛି STF ଟିମ୍ ।
ଚଢାଉ ସମୟରେ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ, ବେଆଇନ ବନ୍ଧୁକ ଜବତ ହୋଇଛି । ତେବେ କେଉଁ କେଉଁ ସ୍ଥାନକୁ ଏହିଠାରୁ ବନ୍ଧୁକ ଚାଲାଣ ହେଉଥିଲା ତାହାର ଟିକିନିଖି ତଦନ୍ତ କରୁଛି ଛତିଶଗଡ଼ STF । ଏହାସହ ଏହି ବେଆଇନ ବନ୍ଧୁକ ତିଆରି କାରବାରରେ କେଉଁ କେଉଁ ବନ ବିଭାଗ କର୍ମଚାରୀ ସମ୍ପୃକ୍ତ ରହିଛନ୍ତି ତାହାର ତଦନ୍ତ କରୁଛି ବନ ବିଭାଗ ।
ସୂଚନା ଅନୁଯାୟୀ, ଜୟପାଟଣା ରେଞ୍ଜ ଅନ୍ତର୍ଗତ ମଙ୍ଗଳପୁର ଗାଁର ବିଭିନ୍ନ ସ୍ଥାନରେ ବେଆଇନ ବନ୍ଧୁକ ତିଆରି କରାଯାଇ ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା । ଏନେଇ ଛତିଶଗଡ଼ STF ବିଶେଷ ସୂତ୍ରରୁ ଖବର ପାଇ କଳାହାଣ୍ଡି ବନ ବିଭାଗ ଅଧିକାରୀଙ୍କ ସହ ସାମିଲ ହୋଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଗ୍ରାହକ ଭାବରେ ମଙ୍ଗଳପୁର ଗାଁକୁ ଯାଇଥିଲେ । ସେଠାରେ ୨୫ ଲୋକଙ୍କ ଘରେ ଚଢ଼ାଉ ହୋଇଥିଲା । ଚଢ଼ାଉ ସମୟରେ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଓ ବେଆଇନ ବନ୍ଧୁକ ଜବତ କରିଥିବା ବେଳେ ଏଥିରେ ସାମିଲ ଥିବା ୫ ଜଣ ବ୍ୟକ୍ତିକୁ ଜୟପାଟଣା ରେଞ୍ଜ ଅଫିସକୁ ଆଣାଯାଇଥିଲା । ଏଠାରେ ପଚରଉଚରା କରାଯିବା ପରେ ଭବାନୀପାଟଣା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାତି ତମାମ ପଚରାଉଚରା କରିଥିଲା ଛତିଶଗଡ଼ STF ।