କଳାହାଣ୍ଡି: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଦୁଇ ଦିନିଆ କଳାହାଣ୍ଡି ଗସ୍ତ ସାରି ମଙ୍ଗଳବାର ଫେରିଛନ୍ତି । ମନ୍ତ୍ରୀଙ୍କ ସୋମବାର କଳାହାଣ୍ଡି ଗସ୍ତକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଗୋଲାମୁଣ୍ଡାଠାରେ ୫କୋଟି ଟଙ୍କା ବ୍ୟୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଏଥିସହ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ମଧ୍ୟରେ ୪୪ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୦ ଶଯ୍ୟା ବିଶିଷ୍ଟ ଜରା ଚିକିତ୍ସା ବିଭାଗର ଉଦଘାଟନ କରାଯାଇଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି ସେହିପରି ୪୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଚକ୍ଷୁ ବିଭାଗର ଓପିଡି ଉଦଘାଟନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଆସି ନଥିଲେ । ପ୍ରୋଟୋକଲ ଭଙ୍ଗ ଅଭିଯୋଗରେ ସେ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଥିବା ଜଣାପଡିଛି । କାରଣ ବିରୋଧୀ ଦଳ ନେତା ହେଉଛନ୍ତି କ୍ୟାବିନେଟ ପାହ୍ୟା । କିନ୍ତୁ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରମନ୍ତ୍ରୀଙ୍କ ନା ତଳେ ତାଙ୍କ ନାମ ଲେଖା ଯାଇଛି । ଏହାକୁ ବିରୋଧ କରି ଆସିନଥିଲେ ବିଧାୟକ ତଥା ବିରୋଧୀ ଦଳ ନେତା ।
ସ୍ବାସ୍ଥ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ । ସମୀକ୍ଷା ବୈଠକରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲାରେ ମୋଟ ଅନୁଦାନପ୍ରାପ୍ତ 340 ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୧୧୭ ଜଣ କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଭବାନୀପାଟଣା ସଦର ମହକୁମା ଡାକ୍ତରଖାନାରେ ୭୬ ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨୪ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ୧୬୫ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବା ସହିତ ଏହାର ନୂତନ କୋଠା ନିର୍ମାଣ କରାଯିବା ପାଇଁ ଆଲୋଚନା ହୋଇଛି ।
ଅନ୍ୟପଟେ ଧର୍ମଗଡଠାରେ ଏକ ଡାଇଲିସିସ କେନ୍ଦ୍ର ସ୍ଥାପନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ପୂର୍ବତନ ବିଧାୟକ ଅନାମ ନାଏକ ଓ ଦୁଷ୍ମନ୍ତ ନାଏକ ପ୍ରମୂଖଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ ଡଃ.ପରାଗ ହର୍ଷଦ ଗାଭାଲି, ସିଡିଏମଓ ବନଲତା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ