ଭବାନୀପାଟଣା: ବାଲିଛଡା ଗାଁ ନଦୀ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖା ଦେଇଛି । ହାତୀ ନଦୀ କୂଳ ଲଙ୍ଘୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି କଳାହାଣ୍ତି ଜିଲ୍ଲାର ବାଲିଛଡା ଗ୍ରାମବାସୀ । ହାତୀ ନଦୀ କୂଳରେ ରହିଛି ବାଲିଛଡା ଗାଁ । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଚିରସ୍ରୋତା ହୋଇଛି ହାତୀ ନଦୀ । ହେଲେ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।
ପ୍ରତି ବର୍ଷ ବର୍ଷା ଋତୁରେ ହାତୀ ନଦୀରେ ବନ୍ୟା ଆସେ । ଆଉ ତା'ପରେ ବନ୍ୟା ଜଳ କୂଳ ଲଙ୍ଘି ଗାଁ ଭିତରକୁ ମାଡ଼ି ଆସେ । ବର୍ଷା ଋତୁ ଚାଲିଥିବାରୁ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ରହିଛନ୍ତି ବାଲିଛଡା ଗ୍ରାମବାସୀ । ବର୍ଷା ଋତୁରେ ବନ୍ୟା ସ୍ଥିତି ସୃଷ୍ଟି ହେଉଥିବାରୁ ହାତୀନଦୀ କୂଳରେ ଥିବା କଲମପୁର ବ୍ଲକର ଟେମରା, ପରୁଆଗୁଡ଼ା, ମାଟିଖାଲ, ବିରିପୁର, ଜାମପଡ଼ା, ବଙ୍କାପଲା, ଖଣ୍ଡି ଡଙ୍ଗରୀଗୁଡ଼ା ଓ ସାନକୁଟୃ ଆଦି ଗାଁର ଲୋକେ ପ୍ରଭାବିତ ହୋଇଥାଆନ୍ତି ।
ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବନ୍ୟାଞ୍ଚଳ ଭିତରେ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ଫଳରେ ବନ୍ୟା ସମୟରେ ଆଶ୍ରୟସ୍ଥଳୀ ମଧ୍ୟ ପାଣି ଘେରରେ ରହିଥାଏ । ଆଶ୍ରୟସ୍ଥଳୀକୁ ଯିବା ପାଇଁ ଭଲ ରାସ୍ତା ଖଣ୍ତିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଇଛି । ତେବେ ଜିଲ୍ଲାରେ ୨୦୧୦ ମସିହାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ତତ୍କାଳୀନ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତରେ ଆସି ନଦୀ କୂଳିଆ ଗାଁର ସୁରକ୍ଷା ପାଇଁ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଜଳ ସମ୍ପଦ ବିଭାଗ ମାଧ୍ୟମରେ ପଥରବନ୍ଧ ନିର୍ମାଣ ପାଇଁ ଘୋଷଣା କରିଥିଲେ। ଏନେଇ ଟେଣ୍ଡର ଚୁକ୍ତିନାମା ମଧ୍ୟ ହୋଇଥିଲା । ହେଲେ କମ୍ପାନୀ ନିମ୍ନ ମାନର କାମ କରିଥିବା ଯୋଗୁଁ ଏ ମାମଲା ଏବେ ଅଦାଲତରେ ରହିଥିଲା ।