ଭବାନୀପାଟଣା:ଶେଷ ହୋଇଯାଇଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପାଇଁ ନିର୍ବାଚନ । କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ହେଲେ ଗିରିଶ ଚନ୍ଦ୍ର ବେହେରା । ୪ ଖଣ୍ଡ ଭୋଟପାଇ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଗିରିଶ ଚନ୍ଦ୍ର ବେହେରା । ଏହି ନିର୍ବାଚନରେ ମୋଟ ୧୫ଟି ଡାଇରେକ୍ଟର ମଧ୍ୟରୁ ୪ଜଣ ମତଦାନ କରିଥିଲେ । ଉକ୍ତ ୪ଟିଭୋଟ ତାଙ୍କ ସପକ୍ଷରେ ଯାଇଥିଲା । ନୂତନ ସଭାପତି ଭାବେ ନିର୍ବାଚିତ ହେବା ପରେ ଗିରିଶଙ୍କୁ ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜଣାଯିବା ସହ ବିଜେଡି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ସୂଚନା ଅନୁଯାୟୀ ଗତ ୯ତାରିଖରେ ସଭାପତି ପାଇଁ ୨ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଏଥିରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଭାବେ ଗିରିଶ ଚନ୍ଦ୍ର ବେହେରା ଓ ତାଙ୍କ ପ୍ରତିଦ୍ବନ୍ଦୀଭାବେ ଜୁନାଗଡ ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଫଳରେ ବିଜେଡି ବନାମ ବିଜେଡି ହୋଇଥିବାରୁ ଦଳପାଇଁ ମୁଣ୍ଡ ବ୍ୟାଥା ସୃଷ୍ଟି ହୋଇଥିଲା ।
ଏପରିକି ୧୦ ତାରିଖ ନାମାଙ୍କନ ପ୍ରତ୍ୟାହାର ରହିଥିବା ବେଳେ ଉକ୍ତ ଦିନ ମଧ୍ୟ କେହି ନାମାଙ୍କନ ପ୍ରତ୍ୟାହାର କରି ନ ଥିଲେ । ପରେ ଦୁହେଁଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଜଣାପଡୁଥିଲା । କିନ୍ତୁ ନିର୍ବାଚନ ସମୟରେ ସୁଧାଂଶୁ ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ଆସି ନ ବେଳେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଡକରାରେ କିଛିଦିନ ତଳେ ସୁଧାଂଶୁ ବରାଡଙ୍କ ସମର୍ଥକମାନେ ପଦ୍ମପୁରକୁ ଯାଇଥିଲେ । ସେଠାରେ ରୁଦ୍ଧଦ୍ବାର ବୈଠକରେ କଳାହାଣ୍ଡି ବିସିସିବି (Bhavanipatna Center Co operative Bank) ସଭାପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହା ପରେ ସେ ନିର୍ବାଚନରୁ ଓହରି ଯାଇଥିବା ଚର୍ଚ୍ଚା ହେଉଛି ।