ଭବାନୀପାଟଣା:କଳାହାଣ୍ଡିର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ (Freedom Fighter Rendo Majhi)ଙ୍କ ଆଜି ୧୬୭ ତମ ଶହୀଦ ଦିବସ । ଜିଲ୍ଲାବ୍ୟାପୀ ଏହି ଦିବସ ପାଳନ ହୋଇଥିବା ବେଳେ ଭବାନୀପାଟଣା ସହରରେ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇ ମାଟିର ବୀରପୁତ୍ରକୁ ସ୍ମରଣ କରାଯାଇଛି । ସହରର କଲେଜ ଛକ ଠାରୁ ଆଦିବାସୀ ମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ବେଳେ ଏଥିରେ ରାଜ୍ୟ ସରକାରଙ୍କ ଅନେକ ଉଚ୍ଚପଦସ୍ଥ କର୍ମୀ ସାମିଲ ହୋଇଥିଲେ । ସେପଟେ ରେଣ୍ଡୋ ମାଝୀଙ୍କ ଉପରେ ଏକ ଚଳଚ୍ଚିତ୍ର ହେବାକୁ ଥିବା ବେଳେ ଆଜି ଫିଲ୍ମର ପ୍ରଥମ ସୁଟିଂ ଉର୍ଲାଡାନି ଠାରୁ ଆରମ୍ଭ ହୋଇଛି ।
ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ସହରର କଲେଜ ଛକ ଠାରୁ ଆଦିବାସୀ ମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜେଲ ଛକ ଠାରେ ପହଞ୍ଚିଥିଲେ । ଆଦିବାସୀଙ୍କ ଏହି ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ ସମେତ ଜିଲ୍ଲା ଓ ଜିଲ୍ଲା ବାହାରର ଅନେକ ଆଦିବାସୀ ସାମିଲ ହୋଇଥିଲେ। ଶୋଭାଯାତ୍ରା ଜେଲ ଛକ ଠାରେ ପହଞ୍ଚିବା ପରେ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଟାଉନ ହଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ରେଣ୍ଡୋ ମାଝୀଙ୍କ ସମ୍ପର୍କରେ...
କଳାହାଣ୍ଡିର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ । ବ୍ରିଟିଶମାନଙ୍କ ଇଂରାଜୀ ଉଚ୍ଚାରଣ ଯୋଗୁଁ ସେ ରେଣ୍ଡୋ ମାଝୀ ନାମରେ ପରିଚିତ ହେଲେ । ବକେରକାୟା କନ୍ଧ ଡାବିଶ ମାଝିଙ୍କ ଔରସ୍ୟରୁ ଜନ୍ମିତ ଏହି ଆଦିବାସୀ ବୀର ନିଜକୁ କନ୍ଧ ସମାଜର ସର୍ଦ୍ଦାର ଭାବେ ବେଶ ଭଲ ଭାବେ ପ୍ରତିପାଦିତ କରିଥିଲେ । ପିଲାଦିନରୁ ତୀର ଚାଳନା ଓ ନୌକା ଚାଳନା ଆଦିରେ ଦକ୍ଷତା ହାସଲ କରିଥିଲେ ସେ । ସେତେବଳେ ବ୍ରିଟିଶମାନଙ୍କ ଜନସ୍ବାର୍ଥ ବିରୋଧୀ ଭୂରାଜସ୍ବ ଆଇନ ବଳରେ ଚାଷ ଜମି ଉପରେ କର ବସାଯାଇଥିଲା । ସରକାରଙ୍କ ବିନା ଅନୁମତିରେ ଜଙ୍ଗଲ ସମ୍ପଦ ଆଦିବାସୀମାନେ ଛୁଇଁପାରିବେ ନାହିଁ ବୋଲି ସୂଚନା ଜାରି କରି ଇଂରେଜମାନେ କନ୍ଧ ମାନଙ୍କ ଉପରେ ନିର୍ଯାତନା ଆରମ୍ଭ କରିଦେଲେ । ଏହା ଫଳରେ ଆଦିବାସୀମାନେ ଏକପ୍ରକାର ଭୂମିହୀନ ହୋଇପଡ଼ିଲେ ।
୧୮୪୦-୫୦ ମଧ୍ୟରେ ଜମିଦାରୀ ପ୍ରଥା ବଦଳିଲା, ପରେ ଇଂରେଜ ଏବଂ ଆଦିବାସୀଙ୍କ ମଧ୍ୟରେ ହୋଇଥିଲା ବିଦ୍ରୋହର ସୂତ୍ରପାତ ହୋଇଥିଲା । ରେଣ୍ଡୋ ମାଝୀଙ୍କ ନେତୃତ୍ବରେ ୧୮୩୭ରୁ ୧୮୫୫ ପର୍ଯ୍ୟନ୍ତ କନ୍ଧମାନେ ଇଂରେଜ ସରକାର ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । କନ୍ଧମାନେ ଅତ୍ୟନ୍ତ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରୁଥିବା ମେରିଆ ପୂଜା ବା ମଣିଷ ବଳିକୁ ଇଂରେଜ ସରକାର ଦମନ କଲାପରେ ଆଦିବାସୀମାନଙ୍କ ଏହି ସଂଗ୍ରାମ ନେଇଥିଲା ଉଗ୍ରରୂପ । ଇଂରେଜମାନେ ଆଦିବାସୀମାନଙ୍କ ଉପରେ ଜୁଲୁମ କରି ସେମାନଙ୍କ ଘର ଜାଳିଦେଇଥିଲେ ।