ଭବାନୀପାଟଣା:ପଞ୍ଚାୟତ ନିର୍ବାଚନ ପରେ କଳାହାଣ୍ଡିରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ । ଡିଆରଡିଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ବୈଠକ ହୋଇଛି । ଜିଲ୍ଲାର ପ୍ରମୁଖ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ସମାଧାନ ପାଇଁ ଦାବି ଜଣାଇଥିଲେ ।
ଆୟୋଜିତ ବୈଠକରେ ନିଜ ଅଞ୍ଚଳର ଉନ୍ନତି ପାଇଁ ଗଠନମୂଳକ ପ୍ରସ୍ତାବ ଦିଆଯାଇଥିଲା । ମୁଖ୍ୟତଃ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ସିଏଫସି ଓ ଏସଏଫସି ଅନୁଦାନ ଉପରେ ଆଲୋଚନା ହୋଇଥିଲା । ଆରଡବ୍ଲୁଏସଏସ, ଏସଇଙ୍କ ସୂଚନା ଅନୁଯାୟୀ ଜିଲ୍ଲାର ୬ ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏବଂ ସେଥିରୁ ଥୁଆମୂଲ ରାମପୁର ଓ କୋକସରାରେ କାର୍ଯ୍ୟ ପାଇଁ ଟେଣ୍ଡର ଡକାଯାଇଛି । ଏହା ବ୍ୟତୀତ ଅନ୍ୟ ୭ ଟି ବ୍ଲକରେ ଘରେ ଘରେ ପାଣିର ବ୍ୟବସ୍ଥା କରାଯିବ । ୩୨୪ଟି ସୋଲାର ପାନୀୟ ଜଳ ପଏଣ୍ଟର ବ୍ୟବସ୍ଥା,ଅଚଳ ନଳକୂପକୁ ମରାମତି ପାଇଁ ପ୍ରତ୍ୟେକ ବ୍ଲକରେ ନଳକୂପ ଅଭିଯୋଗ ରେଜିଷ୍ଟର, ମୋବାଇଲ ଭ୍ୟାନ ଦ୍ବାରା ୨୪ ଘଣ୍ଟା ମଧ୍ୟରେ ଷ୍ଟାଫ ଯାଇ ମରାମତି କରିବାର ବ୍ୟବସ୍ଥା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । କଳାହାଣ୍ଡି ଜିଲ୍ଲାର ଅନେକ ସ୍କୁଲରେ ଶିକ୍ଷକ ଅଭାବ ଅଭିଯୋଗ ହୋଇଥିଲା । ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଡିଇଓ କହିଛନ୍ତି ।