ଭବାନୀପାଟଣା: ପୁଣି ସାମ୍ନାକୁ ଆସିଲା ଜାଲ ସାର୍ଟଫିକେଟ କାରବାର । ଜାଲ ସାର୍ଟଫିକେଟ ଦେଇ ହଜାର ହଜାର ଯୁବକ ଯୁବତୀ ଚାକିରି ହାତଉ ଥିବା ବେଳେ ଯୋଗ୍ୟା ଯୁବକ ଯୁବତୀ ଚାକିରି ଟିକକ ପାଇବାରୁ ବଞ୍ଚିତ ହେଉଛନ୍ତି । ନକଲି ଯୋଗ୍ୟତା ପ୍ରମାଣପତ୍ର ଦେଇ ଚାକିରି ହାତେଇ ଥିବା ଘଟଣାରେ ବାପା-ପୁଅକୁ ଗିରଫ । ଅଭିଯୁକ୍ତ ପୁଅ ଡାକମାଷ୍ଟର ଓ ବାପା ସ୍କୁଲ୍ ମାଷ୍ଟରଙ୍କୁ ଗିରଫ କରି ଜେଲକୁ ପଠେଇଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ବାପା ପୁଅକୁ ଗିରଫ ପରେ ଏହି ଚେର କେଉଁ ଆଡେ ଲମ୍ବିଛି ତାର ଖୋଳତାଡ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଏପିଟା ଗ୍ରାମର ପଦ୍ମନାଭ ମହାନନ୍ଦ ସାପସିଲେଟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଭାବରେ କାମ କରନ୍ତି । ପଦ୍ମନାଭଙ୍କ ପୁଅ ପ୍ରଭାତ ମହାନନ୍ଦ ମଧ୍ୟ ଗ୍ରାମୀଣ ଡାକମାଷ୍ଟର ଭାବରେ ନିଯୁକ୍ତି ପାଇଥିଲେ । ପଦ୍ମନାଭ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଥିବା ଏବଂ ଜାଲ ସାର୍ଟଫିକେଟ ମାଧ୍ୟମରେ ଡାକ ବିଭାଗରେ ଅନେକ ଯୁବକ ଯୁବତୀ ଚାକିରି ପାଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ କଳାହାଣ୍ଡି ଜିଲ୍ଲାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବା ପାଇଁ ଭବାନୀପାଟଣା ଡାକ ସହକାରୀ ଅଧୀକ୍ଷକ, ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବୋର୍ଡ କର୍ତ୍ତୃପକ୍ଷ ଯାଞ୍ଚ କରିବା ସମୟରେ ପ୍ରଭାତ ମହାନନ୍ଦଙ୍କ ପ୍ରମାଣପତ୍ର ନକଲି ବୋଲି ଜଣାପଡିଥିଲା । ଏହାପରେ ଡାକ ବିଭାଗ ତରଫରୁ ଭବାନୀପାଟଣା ଟାଉନ ଥାନାରେ ଏନେଇ ଏକ ଏତଲା ଦିଆଯାଇଥିଲା ।