ଭବାନୀପାଟଣା: ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏହି ଲକଡାଉନ ଯୋଗୁଁ ରାଜ୍ୟରେ ସମସ୍ତ ବ୍ୟବସାୟ ଠପ ହୋଇଯାଇଛି । ଯାହା ଏବେ ରାଜ୍ୟର କୃଷି କ୍ଷେତ୍ରକୁ ମଧ୍ୟ ବିଶେଷ ଭାବରେ ପ୍ରଭାବିତ କରିଛି । ଓଡିଶାର ଭାତହାଣ୍ଡି କୁହାଯାଉଥିବା କଳାହାଣ୍ଡି ଜିଲ୍ଲାର ଚାଷୀ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ମହାମାରୀ । କଳାହାଣ୍ଡିରେ ପରିବା ଚାଷୀଙ୍କ ଅବସ୍ଥା ସାଂଘାତିକ ହୋଇପଡିଛି ।
ପ୍ରତିଦିନ ଜିଲ୍ଲା ବାହାରକୁ ଶହଶହ ଟନ ପନିପରିବା ରପ୍ତାନୀ କରୁଥିବା କଳାହାଣ୍ଡି ଚାଷୀଙ୍କ ବିଲରେ ଆଜି ଖତଖାଉଛି ପନିପରିବା । ଲକଡାଉନ କାରଣରୁ ପନିପରିବା ବିକ୍ରି ନ ହେବାରୁ ଖୁବକମ ଦରରେ ଚାଷୀକୁ ଉତ୍ପାଦିତ ଫସଲ ବାଧ୍ୟ ହୋଇ କ୍ଷତିରେ ବିକ୍ରି କରିବାକୁ ପଡୁଛି । ଲକଡାଉନ ଯୋଗୁଁ ରାଜ୍ୟ ସରକାର ସମସ୍ତ ଗରିବ ଓ ଦିନ ମଜୁରିଆଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା ସହିତ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି । ମାତ୍ର ଚାଷୀଙ୍କ ପାଇଁ କୌଣସି ପ୍ରକାରର ସୁବିଧା ଯୋଗାଇ ଦେଇନଥିବା ଅଭିଯୋଗ ହୋଇଛି ।