କଳାହାଣ୍ଡି: ଜିଲ୍ଲାର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ଭବାନୀପାଟଣା ଠାରେ ପ୍ରତିବର୍ଷ ଛତର ଯାତ୍ରା ଅନୁଷ୍ଠିତ ହୁଏ । ଅନ୍ୟାନ୍ୟ ରାଜ୍ୟ, ଜିଲ୍ଲାରେ ବଳିପ୍ରଥା ଏକ ପ୍ରକାର ବନ୍ଦ ହୋଇଆସୁଥିବା ବେଳେ ଛତର ଦିନ କିନ୍ତୁ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ହଜାର ହଜାର ପଶୁବଳି ଦିଆଯାଏ ।
ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରାକୁ ବୁଝାଏ । କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ । ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ଦେବୀଙ୍କ ପୀଠରେ ମୁଠବସା ଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ଦେବୀଙ୍କୁ ସ୍ବତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ ।
ମହାଷ୍ଟମୀ ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ‘ଛତର’ ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରି ମନ୍ଦିର ଅଭିମୁଖେ ଆସିଥାନ୍ତି । ଢୋଲ, ନିଶାଣ, ମହୁରୀ, ଘଣ୍ଟ, ଶଙ୍ଖ ଓ ମାଆଙ୍କ ପ୍ରିୟ ବୀରବାଦ୍ୟ ଘୁମୁରାର ତାଳେ ତାଳେ ବିଜୟ ପ୍ରତିମା ‘ଛତର’ ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ମାଆଙ୍କ ଏହି ଯାତ୍ରା କୁ ହିଁ ‘ଛତର’ ଯାତ୍ରା କୁହାଯାଏ ।