ଭବାନୀପାଟଣା:ଗ୍ୟାସ ଲିକ୍ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ପରିବାରର 2 ଜଣ ଗୁରୁତର ଆହତ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖଲିଆକାନି ଗାଁରେ ଘଟିଛି ଏହି ଅଘଟଣ । ଗ୍ୟାସ ଲିକରୁ ନିଆଁ ଲାଗି ସମ୍ପୂର୍ଣ୍ଣ ଘର ପୋଡିଜଳା ପାଉଁଶ ହୋଇଯାଇଛି । ପରିବାରର ଦୁଇଜଣଙ୍କ ଆବସ୍ଥା ଗୁରୁତର ଥିବା ଜଣାପଡିଛି ।
ସୂଚନାଅନୁସାରେ, ଖଲିଆକାନି ଗାଁର ବିଜୟ ନାଏକଙ୍କ ସ୍ତ୍ରୀ ରଞ୍ଜୁ ନାଏକ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ ଲିକ ହୋଇଥିଲା । ଏହା ପରେ ସେ ପଡୋଶୀ ଦିନ ମହାନନ୍ଦଙ୍କୁ ଡାକି ଗ୍ୟାସ ସଜାଡ଼ିବାକୁ କହିଥିଲେ । ଗ୍ୟାସ ସଜାଡୁ ଥିବା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା । ଫଳରେ ନିମିଶକ ମଧ୍ୟରେ ସମ୍ପୂର୍ଣ୍ଣ ଘର ପୋଡି ଯିବା ସହ ରଞ୍ଜୁ ନାଏକ ଓ ପଡୋଶୀ ଦିନ ମହାନନ୍ଦଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ଧର୍ମଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।